ଭୁବନେଶ୍ୱର: ଓଡ଼ିଶା ବିଜେପିର ପୋଷ୍ଟର ବୟ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ପତିଆରା ପ୍ରଭାବ ରାଜ୍ୟଠାରୁ କେନ୍ଦ୍ର ରାଜ୍ୟ ଯାଏ କେତେ ରହିଛି ତାହା ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଘଟଣାବଳୀକୁ ଦେଖିଲେ ଆମେ ଜାଣିପାରିବା । କେନ୍ଦ୍ରରେ ଦୁଇ ଦୁଇ ଥର ମନ୍ତ୍ରୀ । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ନିର୍ବାଚନୀ ଦାୟିତ୍ୱ ନେଇ ଅନେକ ସଫଳତା ମଧ୍ୟ ଦେଇଛନ୍ତି । ୨୦୧୯ ନିର୍ବାଚନ ବେଳେ ଧର୍ମେନ୍ଦ୍ରଙ୍କ ଅସଲ ରୂପ ଦେଖିଥିଲା ବିଜେଡି । ୨୦୧୯ ନିର୍ବାଚନରେ ବିଜେଡିକୁ ଏକରକମ ପାଣି ପିଆଇ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ୮ଟି ଲୋକସଭା ଆସନ ହାତେଇଥିବା ବେଳେ ୨୩ଟି ବିଧାନସଭା ଆସନ ନିଜ ଅକ୍ତିଆରକୁ ନେଇଥିଲା । ସମୟ ଥିଲା ନବୀନଙ୍କୁ ଧ୍ରୁତରାଷ୍ଟ୍ର ତ କେତେବେଳେ କଳାପାହାଡ କହି ଖୁବ୍ ସମାଲୋଚନା କରି ନବୀନ ସରକାରକୁ ଧୋଇ ଦେଇଥିଲେ ।
ଖାଲି ନବୀନଙ୍କୁ କାହିଁକି ବିଜେଡିରେ ହଠାତ୍ ପାୱାରଫୁଲ୍ ହୋଇ ଉଠିଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଖୁବ୍ ଟାର୍ଗେଟ କଲେ । କିନ୍ତୁ ହଠାତ୍ ଧର୍ମେନ୍ଦ୍ରଙ୍କ ଏହି ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ହେଲା । ଆଉ ସନ୍ଦେହ ମଧ୍ୟ ସୃଷ୍ଟି ହେଲା । ଯେଉଁ ଧର୍ମେନ୍ଦ୍ର ଦିନେ ନବୀନ ଓ ୫-ଟି ସଚିବ ପାଣ୍ଡିଆନଙ୍କ ବିରୋଧରେ ଯୁଦ୍ଧ୍ୟଂଦେହି ଡାକରା ଦେଲେ ହଠାତ୍ କାହିଁକି ସାଧାରଣ ନିର୍ବାଚନକୁ ଆଉ ଖୁବ୍ କମ ଦିନ ବାକି ରହିଥିବା ବେଳେ ନିର୍ବାଚନ ମଇଦାନରୁ ଉଭାନ ହୋଇଗଲେ । ଧନ, ମନ ଓ କୌଶଳରେ ବିଜେଡି ଠାରୁ କାହିଁ କେତେବଡ ବିଜେପି । କିନ୍ତୁ ଏତେ ସବୁ ଥାଇ ମଧ୍ୟ ବିଜେପିର ପୋଷ୍ଟର ବୟ କାହିଁକି ବିଜେଡି ବିରୁଦ୍ଧରେ ଚୁପ୍ । ୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ୨୦୨୪ର ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ଏବେ ଆକାଶ ପାତାଳର ଫରକ । ତେବେ ପ୍ରଶ୍ନ ଉଠୁଛି କାହିଁକି ଧର୍ମେନ୍ଦ୍ର ନରମ ଆଭିମୁଖ୍ୟ ଗ୍ରହଣ କଲେ । ୨୦୨୩ ଜୁନ୍ ମାସରେ ବିଜେପିରେ ଥିବା ରାଜ୍ୟସଭା ସଦସ୍ୟ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ଲୋକସଭା ଜିତି ଆସିବାକୁ ତାଗିଦ୍ କରାଯାଇଛି । ଫଳରେ ଯେଉଁମାନେ ରାଜ୍ୟସଭା ପାର୍ଥୀ ଅଛନ୍ତି ସେମାନେ ସମସ୍ତେ ୨୦୨୪ ସାଧାରଣ ନିର୍ବାଚନରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ନଚେତ୍ ୨୦୨୪ରେ ସେମାନେ ଆଉ ମନ୍ତ୍ରୀ ହୋଇପାରିବେ ନାହିଁ । ଏହି ନିଷ୍ପତ୍ତି ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଦ ହଜିଯାଇଛି । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଚୟନ ହୋଇ ଆସିଛନ୍ତି । ତେଣୁ ଧର୍ମେନ୍ଦ୍ର ଏଥର ସମ୍ବଲପୁରରୁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ନେଇ ଚର୍ଚ୍ଚା ହେଉଛି । ଥରେ ପାଲଲହଡାରୁ ବିଧାୟକ ଓ ଆଉଥରେ ଦେବଗଡରୁ ସାଂସଦ ବନିଥିବା ଧର୍ମେନ୍ଦ୍ର କିନ୍ତୁ ୨୦୦୯ରୁ ନିର୍ବାଚନୀ ରାଜନୀତିରୁ ଦୂରେଇ ଯାଇଥିବାରୁ ଏବେ ତାଙ୍କ ପାଇଁ ପୁଣି ଥରେ ନିର୍ବାଚନ ଲଢିବା କାଠିକର ପାଠ ହୋଇପାରେ । ଢେଙ୍କାନାଳ ଆସନଟି ଧର୍ମେନ୍ଦ୍ରଙ୍କ ପାଇଁ ଆଦୌ ସୁରକ୍ଷିତ ନଥିବା ବିଜେପି କରିଥିବା ସର୍ଭେ ରିପୋର୍ଟରୁ ଜାଣି ସାରିଛି । ଆଉ ଏଥିପାଇଁ ସମ୍ବଲପୁର ଆସନଟି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସୁରକ୍ଷିତ ରହିଥିବା ଚର୍ଚ୍ଚା ହେଉଛି । କିନ୍ତୁ ପନ୍ଦର ବର୍ଷ ହେଲା ପ୍ରତ୍ୟକ୍ଷ ନିର୍ବାଚନ ଲଢିନଥିବା ଧର୍ମେନ୍ଦ୍ରଙ୍କ ପାଇଁ ନିର୍ବାଚନ ଲଢିବା ଏତେଟା ସହଜ ନୁହେଁ । ଆଉ ଏଥିପାଇଁ ବିଜେଡି ସହ ସେ ଏକ ପ୍ରକାର ସମଝୋତା କରିଛନ୍ତି । ୫-ଟି ସଚିବଙ୍କୁ ଟାର୍ଗେଟ କରି ବିଜେଡିକୁ କ୍ଷତ ବିକ୍ଷତ କରିପକାଇଥିବା ଧର୍ମେନ୍ଦ୍ର ଏବେ ପଦେଅଧେ ବି ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନେଇ ମୁହଁ ଖୋଲୁନାହାନ୍ତି । ଚର୍ଚ୍ଚା ହେଉଛି ଧର୍ମେନ୍ଦ୍ର କାଳେ ସମ୍ପୂର୍ଣ୍ଣ ସମଝୋତା କରିନେଇଛନ୍ତି । ଏହି ମୂଲଚାଲଟି ହେଉଛି ଧର୍ମେନ୍ଦ୍ରଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ପାଇଁ । ଧର୍ମେନ୍ଦ୍ରଙ୍କ ବିପକ୍ଷକରେ ଜଣେ ଦୁର୍ବଳ ପ୍ରାର୍ଥୀ ଦେଇ ତାଙ୍କର ଆଗାମୀ ରାଜନୀତିକୁ ସୁରକ୍ଷିତ କରିବାକୁ ପଛଦ୍ୱାର ଦେଇ ବିଜେଡି ସହ ମୂଲଚାଲ ହୋଇଥିବା ଚର୍ଚ୍ଚା ହେଉଛି । ଆଗାମି ୨୦୨୪ ନିର୍ବାଚନ ହେବ ପୋଷ୍ଟରବୟଙ୍କ ପାଇଁ ଅସଲ ଅଗ୍ନିପରୀକ୍ଷା ।
