ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ନୀତି ପ୍ରଣୟନ କରି ଲୋକମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବାର ପଥ ସୁଗମ କରିବାକୁ ଶତଚେଷ୍ଟିତ ଥିବା ବେଳେ ଏଣେ ତଳ ସ୍ତରରେ କିଛି ଅସାଧୁ ସରକାରୀ କର୍ମଚାରୀ ଏବଂ ରାଜନେତା ମିଶି ସରକାରୀ ଅର୍ଥକୁ କିପରି ବିଭିନ୍ନ ବାଟରେ ହରିଲୁଟ କରିବାରେ ଲାଗିଛନ୍ତି ତାହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ୍, ବଡ଼ଗାଁ ଗ୍ରାମପଞ୍ଚାୟତରେ ।
ବିବରଣୀରୁ ପ୍ରକାଶ ଯେ, ପୁରୀ ଜିଲ୍ଲା ଗୋପ ବ୍ଲକ୍ ବଡ଼ଗାଁ ଗ୍ରାମପଞ୍ଚାୟତର ମୋଟ ୯ଟି ଗାଁ ରେ ‘ସ୍ୱଚ୍ଛ ଭାରତ ମିଶନ’ ଯୋଜନାରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି ଏବଂ କେହି ବାହାରେ ଶୌଚ ହେଉ ନାହାନ୍ତି ବୋଲି ସରକାରୀ କାଗଜପତ୍ରରେ ଦର୍ଶାଯାଇ ପଞ୍ଚାୟତର ସମସ୍ତ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇ ସମସ୍ତ ଗାଁ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଫଳକ ଲଗାଯାଇଛି । ପଞ୍ଚାୟତ ର କେତେକ ସଚେତନ ବୁଦ୍ଧିଜିବୀ ବାସିନ୍ଦାଙ୍କ କହିବା ଅନୁସାରେ ‘ସ୍ୱଚ୍ଛ ଭାରତ ମିଶନ୍’ ପାଇଖାନାର ବାସ୍ତବ ସ୍ଥିତି କିନ୍ତୁ ଅଲଗା । ବଡ଼ଗାଁ ପଞ୍ଚାୟତରେ ମୋଟ ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ନାମରେ ପାଇଖାନା ସମ୍ପୂର୍ଣ୍ଣ ହୋଇ, ବିଲ୍ ପାଇ ସାରିଥିବାର ତାଲିକା ଇଣ୍ଟର୍ନେଟ୍ରେ ଉପଲବ୍ଧ ଥିବାବେଳେ ବାସ୍ତବରେ ସମ୍ପୂର୍ଣ୍ଣ ହୋଇଥିବା ପାଇଖାନା ସଂଖ୍ୟା କିନ୍ତୁ ୧୫୦ରୁ କମ୍ ହେବ । କୌଣସି କୌଣସି ପରିବାରର ୪-୫ ଜଣ ସଦସ୍ୟଙ୍କୁ ହିତାଧିକାରୀ ଦର୍ଶାଇ ୪-୫ଟି ପାଇଖାନା ସମ୍ପୂର୍ଣ୍ଣ ହେବାର ବିଲ୍ କାଗଜପତ୍ରରେ ହୋଇ ସାରିଥିବା ବେଳେ କେଉଁଠି ଗୋଟିଏ ମାତ୍ର ପାଇଖାନା ନିର୍ମାଣ କରାଯାଇ ଅଛି ତ କେଉଁଠି ବିଲ୍କୁଲ୍ କୌଣସି ବି ପାଇଖାନା ନିର୍ମାଣ କରାଯାଇ ନାହିଁ । ସରକାରୀ କର୍ମଚାରୀ ଏବଂ ସରପଞ୍ଚଙ୍କ ସଲାସୁତୁୁରାରେ ଠିକା ସଂସ୍ଥା କେଉଁଠି ଫୁଟେ ଦୁଇଫୁଟ ପାଞ୍ଚ ଇଞ୍ଚିଆ ଇଟା କାନ୍ଥ ଗଢ଼ି ଦେଇ, କେଉଁଠି ବିନା ଟାଙ୍କି ବିନା ପିଆନ ରେ ପାଞ୍ଚ ଫୁଟିଆ ଘର କରି ଦେଇ ନିଜ ନାମରେ ବିଲ୍ କରାଇ ନେଇଛନ୍ତି । ଯେଉଁଠି ବି, ହିତାଧିକାରୀମାନେ ନିଜ ହାତରୁ ଟଙ୍କ ଖର୍ଚ୍ଚ କରି ପାଇଖାନା ନିର୍ମାଣ କରିଛନ୍ତି ସେମାନେ ଆଜି ଯାଏ ବିଲ୍ ପାଇ ପାରି ନାହାନ୍ତି । ଶତାଧିକ ହିତାଧିକାରୀଙ୍କ ଅଗୋଚରରେ ତାଙ୍କ ନାମରେ ପାଇଖାନା ବିଲ୍ ହୋଇ ଟଙ୍କା ଉଠା ସରିଛି । ଏପରିକି ଗାଁରେ ଘରଦ୍ୱାର ନଥିବା ଲୋକଙ୍କୁ ହିତାଧିକାରୀ ଦର୍ଶାଇ ତାଙ୍କ ନାମରେ ମଧ୍ୟ ପାଇଖାନା ବିଲ୍ ଉଠା ସରିଛି । କାହାଠାରୁ ଇନ୍ଦିରା ଆବାସ କରାଇ ଦେବାକୁ କହି ଘର କାଗଜପତ୍ର ଏବଂ ଆଧାରକାର୍ଡ ଜେରକ୍ସ ନେଇ ତାହାକୁ ସେମାନଙ୍କ ଅଗୋଚରରେ ପାଇଖାନା ବିଲ୍ କରିବାରେ ବ୍ୟବହାର କରାଯାଇଛି ତ ଆଉ କାହାକୁ ଭତ୍ତା କରାଇ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ କାଗଜ ପତ୍ର ନିଆଯାଇଛି ।
ପଞ୍ଚାୟତରେ ବିଭିନ୍ନ ସମୟରେ ଲୋକମାନେ ବିଭିନ୍ନ ଯୋଜନା ପାଇଁ ଆବେଦନ କରିବା ସମୟରେ ନିଜ ନିଜର କାଗଜ ପତ୍ର, ଜମିପଟା, ଆଧାର କାର୍ଡ ଆଦି ର ନକଲ ଦାଖଲ କରିଥଆନ୍ତି । ତେଣୁ ଏହି ପାଇଖାନା ଦଲାଲ ମାନଙ୍କୁ କାଗଜ ପତ୍ର ଜାଲିଆତି କରିବାରେ କିଛି ଅସୁବିଧା ହୁଏନାହିଁ । ଏହି ପଞ୍ଚାୟତର ଭୂଆଁ ଗ୍ରାମର ଜଣେ ସଚେତନ ନାଗରିକ ତଥା ପୂର୍ବତନ ୱାର୍ଡମେମ୍ବର ସୁଦାମ ଚରଣ ସାହୁ ଏବଂ ଅନ୍ୟ ମାନେ କୁହନ୍ତି, ‘ଆମେ ଏ ବିଷୟ ଗୋପ ବ୍ଲକ୍ ବିଡିଓ ଙ୍କ ସମେତ ଭିଜିଲାନ୍ସ ବିଭାଗ କୁ ମଧ୍ୟ ଲିଖିତାକାରରେ ଜଣାଇଛୁ । ମାତ୍ର ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ ହୋଇ ଥିବାର ଜଣାଯାଉ ନାହିଁ । ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଆର୍.ଟି.ଆଇ.ରେ ତଥ୍ୟ ମାଗିଲେ ମଧ୍ୟ ସେମାନେ କୌଣସି ତଥ୍ୟ ପ୍ରଦାନ କରୁ ନାହାନ୍ତି ।’ ତେଣୁ ପଞ୍ଚାୟତ ବାସୀ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
