ସୁସମ ଖାଦ୍ୟ ଉତ୍ପାଦନ, ସକ୍ରିୟ ଇକୋସିଷ୍ଟମ୍ ବା ପରିସଂସ୍ଥା ଏବଂ ମାନବ କଲ୍ୟାଣ ପାଇଁ ସୁସ୍ଥ ମାଟିର ମହତ୍ତ୍ୱ ବିଷୟରେ ବିଶ୍ୱ ସଚେତନତା ସୃଷ୍ଟି କରିବା ପାଇଁ “ବିଶ୍ୱ ମୃତ୍ତିକା ଦିବସ” ପାଳନ ହୁଏ। ଭବିଷ୍ୟତ ପିଡି ପାଇଁ ଏହି ମୂଲ୍ୟବାନ ମୃତ୍ତିକା ସମ୍ପତ୍ତିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ତଥା ଏହି ସମ୍ବଳର ନିରନ୍ତର ଏବଂ ଦୀର୍ଘ ସ୍ଥାୟୀ ପରିଚାଳନା ପାଇଁ ଏହି ଦିବସ ପାଳନ ଉତ୍ସାହିତ କରେ। ଖାଦ୍ୟ ଏବଂ କୃଷି କମିଶନ ର ଏକ ପ୍ରସ୍ତାବ କ୍ରମେ ୨୦୧୪ ରେ ଜାତିସଂଘ ସାଧାରଣ ସଭାର ୬୮ତମ ଅଧିବେଶନରେ, ଡିସେମ୍ବର ୫ ରେ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୩ର ଥିମ୍ ହେଉଛି “ମୃତ୍ତିକା ଏବଂ ଜଳ, ଜୀବନର ଉତ୍ସ” | ଆମ ଗ୍ରହର ବଞ୍ଚିବା ନିର୍ଭର କରେ ମାଟି ଏବଂ ଜଳ ଉପରେ; ଆମର ୯୫ ପ୍ରତିଶତରୁ ଅଧିକ ଖାଦ୍ୟ ଏହି ମୈ।ଳିକ ଉତ୍ସରୁ ଉତ୍ପନ୍ନ ହୋଇଥାଏ। ମୃତ୍ତିକା ଏବଂ ଜଳ ମଧ୍ୟରେ ଥିବା ପରଷ୍ପର ନିର୍ଭରଶୀଳ ସମ୍ପର୍କ କୃଷି ପ୍ରଣାଳୀର ମୂଳଦୁଆ ଭାବରେ କାର୍ଯ୍ୟ କରିଥାଏ, ଉଦ୍ଭିଦଗୁଡିକ ଦ୍ୱାରା ପୁଷ୍ଟିକର ଅବଶୋଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। “ଜଣେ ସଫଳ କୃଷକ ହେବା ପାଇଁ ପ୍ରଥମେ ମାଟିର ପ୍ରକୃତି ଜାଣିବା ଆବଶ୍ୟକ।” – ଜେନୋଫୋନ୍, ଓକୋନୋମିକସ୍, ୪୦୦ ଖ୍ରୀ. ପୂ.
