ଭୁବନେଶ୍ବର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଲାରିପାଲି ଜଙ୍ଗଲର ଏକ ବୋରୱେଲ ଭିତରୁ ନବଜାତକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଶିଶୁଟିକୁ କେହି ଜନ୍ମ କରି ସେହି ଜଙ୍ଗଲ ବୋରୱେଲ ଭିତରକୁ ଫିଙ୍ଗି ଦେଇଥିଲା। ହେଲେ ପିଲାଟିର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ। ସ୍ଥାନୀୟ ପ୍ରଶାସନର ତ୍ବରିତ ଉଦ୍ୟମ ପରେ ସେଠାରେ ପହଞ୍ଚିଥିଲେ ଓଡ୍ରାଫ ଟିମ, ଅଗ୍ନିଶମ ପୋଲିସ ଏବଂ ହସପିଟାଲ ଟିମ। ପ୍ରଥମେ ବୋରୱେଲ ଭିତରକୁ ଅକ୍ସିଜେନ ପଠାଯାଇଥିଲା। ଏହାପରେ ତିନୋଟି ଜେସିବି ସାହାର୍ଯ୍ୟରେ ସେହି ବୋରୱେଲ ଚାରପଟୁ ଖୋଳାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏହି ଉଦ୍ଧାର କାର୍ଯ୍ୟ। ଖୋଳା ଶେଷ ହେବା ପରେ ବୋରୱେଲ ପାଇପକୁ କଟାଯାଇ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳେ ଶିଶୁଟିର ମୁଣ୍ଡ ତଳକୁ ଥିଲା। ହେଲେ ଶିଶୁଟି କାନ୍ଧୁଥିବାରୁ ତାହାକୁ ଜୀବନ୍ତ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଇଥିଲା। ଶେଷରେ ତାହା ସଫଳ ହେଲା। ଉଦ୍ଧାର ପରେ ସେଠାରେ ଥିବା ମେଡିକାଲ ଟିମ ତୁରନ୍ତ ସେଠାରେ ପ୍ରାଥମିକ ଚିକିତ୍ସା କରି ହସପିଟାଲରେ ଭର୍ତ୍ତି କରିଛନ୍ତି।
