ଆମ ଦେଶରେ ବିଭିନ୍ନ କାରଣ ଯୋଗୁଁ ଏବେ କର୍କଟ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ସ୍ତନ କର୍କଟର ମାତ୍ରା ଯଥେଷ୍ଟ ଅଧୁକ ଥିବା ଜଣାପଡ଼ିଛି । ସଚେତନତାର ଅଭାବ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଆରମ୍ଭ ନକରିବା ଯୋଗୁଁ ଏହି ରୋଗ ମଣିଷ ଶରୀରରେ କାୟା ବିସ୍ତାର କରୁଛି ।
ଏହାର ନିରାକରଣ ପାଇଁ ପ୍ରତିବର୍ଷ ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି । ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂତନ ପ୍ରକାର ସ୍ତନ କର୍କଟ ଚିହ୍ନଟ ହୋଇଛି ଯାହାକି ସମସ୍ତ କର୍କଟ ରୋଗର ୧୪ ପ୍ରତିଶତ ଅଟେ । ପ୍ରତି ୪ ମିନିଟ୍ରେ ଜଣେ ନୂଆ ସ୍ତନ କର୍କଟ ରୋଗୀ ଚିହ୍ନଟ ହେଉଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି । ଏପରିକି ପ୍ରତି ୨୨ଜଣ ମହିଳାଙ୍କ ମଧ୍ୟରେ ଜଣକୁ ଏହି ଯୋଗ ହୋଇଥାଏ । ସବୁଠାରୁ ଉଦ୍ବେଗର ବିଷୟ ଯେ ଏହି କର୍କଟ ରୋଗ କେବଳ ନାରୀ ନୁହଁନ୍ତି ପୁରୁଷଙ୍କ ଶରୀରରେ ମଧ୍ୟ ଦେଖାଯାଇଛି । ପ୍ରତ୍ୟେକ ୧୦୦ ଜଣ ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଜଣେ ପୁରୁଷ ରହିଛନ୍ତି । ପ୍ରାୟତଃ ୪୦ ରୁ ୫୦ ବର୍ଷ ମହିଳାଙ୍କ ଶରୀରରେ ଏହା ଦେଖାଯାଇଥାଏ । ପାଶ୍ଚାତ୍ୟ ଦେଶମାନଙ୍କରେ ୮୦ରୁ ୯୦ ଶତକଡ଼ା ରୋଗୀ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି ।
ଅକ୍ଟୋବର ମାସରେ କର୍କଟ ବିଷୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥାଏ । ଏହାର ଚିକିତ୍ସା ପଦ୍ଧତି ମଧ୍ୟ ଅତ୍ୟନ୍ତ ସହଜ ଓ ସରଳ ଅଟେ । ଶୀଘ୍ର ଚିହ୍ନଟ କରିବାର ଗୁରୁତ୍ୱ ଏହି ମାସରେ ବିଷୟବସ୍ତୁ ରହିଛି । ସ୍ତନ କର୍କଟ ରୋଗ ଶୀଘ୍ର ଚିହ୍ନଟ ହେଲେ ରୋଗୀଟି ସଂପୂର୍ଣ୍ଣ ଆରୋଗ୍ୟଲାଭ କରିଥାଏ । ଇଷ୍ଟ୍ରୋଜେନ୍ ବା ହରମୋନ୍ର ଅତ୍ୟଧିକ କ୍ଷରଣ ଏବଂ ଅଧିକ ସମୟ ପ୍ରବାହିତ ହେଲେ ସ୍ତନ କର୍କଟର ଆଶଙ୍କା ବଢ଼ିଥାଏ । କମ୍ ବୟସରେ ଋତୁସ୍ରାବ ଆରମ୍ଭ ଏବଂ ଏହା ଅଧିକ ବର୍ଷ ଧରି ଚାଲୁ ରହିବା, ସନ୍ତାନହୀନତା, ବିଳମ୍ବରେ ଗର୍ଭଧାରଣ, ଶିଶୁକୁ ସ୍ତନ୍ୟପାନ ନକରାଇବା ଆଦି କାରଣରୁ ଏହି ରୋଗ ହୋଇଥାଏ । ହରମୋନ୍ ଥେରାପି ଓ ବିକିରଣ ଚିକିତ୍ସା ଆଦିରେ ଏହି କର୍କଟର ସମ୍ଭାବନା ମଧ୍ୟ ଥାଏ । ମେଦବହୁଳତା, ମଦ୍ୟପାନ, ଧୂମ୍ରପାନ, କମ୍ ଶାରୀରିକ ପରିଶ୍ରମ, ଅତ୍ୟଧ୍ୱକ ଚର୍ବିଜାତୀୟ ଖାଦ୍ୟ କାରଣ ଯୋଗୁଁ ଏହି ରୋଗ ହେବାର ଆଶଙ୍କା ବଢ଼ିଥାଏ । ୫ରୁ ୧୦ ପ୍ରତିଶତ ସ୍ତନ କର୍କଟ ବଂଶାନୁଗତିକ କାରଣ ଯୋଗୁଁ ହୋଇଥାଏ । ସ୍ତନରେ ଆବୁ ବା ଗେଟା ଏବଂ ରକ୍ତକ୍ଷରଣ, ସ୍ତନର ଆକୃତି ଓ ଆକାରରେ ପରିବର୍ତ୍ତନ ଓ କାଖରେ ଲସିକା ଗ୍ରନ୍ଥି ବୃଦ୍ଧି ହେବା ଏହି ରୋଗର ମୁଖ୍ୟ ଲକ୍ଷଣ । ରୋଗ ନିରୂପଣ ମାମୋଗ୍ରାଫି, ସୋନଗ୍ରାଫି ଏବଂ ମାଂସ ପରୀକ୍ଷା ଆଦି କରାଯାଇ ଏହି ଯୋଗ ଚିହ୍ନଟ କରାଯାଏ । ସିଟି ସ୍କାନ୍ ବୋନ୍ ସ୍କାନ୍ ଆଦି ପରୀକ୍ଷା ମଧ୍ୟ ଏଥିପାଇଁ ହୋଇଥାଏ । ଉନ୍ନତ ଚିକିତ୍ସା ପଦ୍ଧତି ଦ୍ୱାରା ଏହାର ନିରାକରଣ କରାଯାଇଥାଏ ।
ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା
ମେଡ଼ିକାଲ ଅଙ୍କୋଲୋଜିଷ୍ଟ, କଟକ