ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନାରେ କେବଳ ୨୦୨୫ ମସିହାରେ ୫,୦୦୦ରୁ ଅଧିକ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ମଙ୍ଗଳବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ CII-ଓଡ଼ିଶା ସ୍ୱାସ୍ଥ୍ୟସେବା ସମ୍ମିଳନୀ ୨୦୨୫ ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଯୁକ୍ତି ଯୋଜନାକୁ ନିଶ୍ଚିତ କରିଛନ୍ତି । ଉଲ୍ଲେଖଯୋଗ୍ୟ, ସରକାରୀ ଡାକ୍ତରଖାନାଗୁଡ଼ିକରେ କର୍ମଚାରୀ ଅଭାବକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହି ଘୋଷଣା କରାଯାଇଛି, ଯେଉଁଠାରେ ୫,୮୦୦ରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି ।

ଏହା ମଧ୍ୟ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଗତ ବର୍ଷ ମଧ୍ୟରେ, ଆମେ ୪,୦୦୦ ରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ନିଯୁକ୍ତି ଦେଇସାରିଛୁ । ଏହି ନିଯୁକ୍ତି ଯୋଜନା ରାଜ୍ୟର ଚିକିତ୍ସା ଭିତ୍ତିଭୂମିକୁ ଆହୁରି ସମର୍ଥନ କରିବ । ଏପରିକି ଡାକ୍ତର ଏବଂ ଡାକ୍ତରୀ ଶିକ୍ଷାର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ, ରାଜ୍ୟ ୨୦୨୫-୨୬ ଶିକ୍ଷାବର୍ଷରେ ନଅଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠାକୁ ଅନୁମୋଦନ କରାଯାଇଛି ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।
ଏଥିମଧ୍ୟରେ ଜଗତ୍ସିଂହପୁର, ଭଦ୍ରକ, ଢେଙ୍କାନାଳ, ଏବଂ ନବରଙ୍ଗପୁର ଜିଲ୍ଲାରେ ଚାରିଟି ଏମବିବିଏସ୍ କଲେଜ, ବୁର୍ଲା, ବ୍ରହ୍ମପୁର , କେନ୍ଦୁଝର ଏବଂ ବଲାଙ୍ଗୀରର ଚାରିଟି ଡେଣ୍ଟାଲ କଲେଜ ଏବଂ ମୟୂରଭଞ୍ଜର ଗୋଟିଏ ଆୟୁର୍ବେଦିକ କଲେଜ ଅନ୍ତର୍ଭୁକ୍ତ କରାଯିବ । ସେହିପରି ତାଳଚେର ଏବଂ ଫୁଲବାଣୀରେ ଦୁଇଟି ଅତିରିକ୍ତ ମେଡିକାଲ କଲେଜ କରାଯିବ । ଏନେଇ ବଜେଟ୍ ଅନୁମୋଦନ ମିଳିଥିବା ସେ କହିଛନ୍ତି ।
ଏହିସବୁ ସ୍ଥାନରେ ମେଡିକାଲ କଲେଜ ନଥିବାରୁ ଅନେକ ସମସ୍ୟା ଭୋଗୁଥିଲେ ମେଡିକାଲ ଛାତ୍ରଛାତ୍ରୀ । ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି ହୋଇଆସୁଥିଲା । ସରକାରଙ୍କୁ ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ କାର୍ୟ୍ୟକ୍ଷମ ହେଲେ ଜିଲ୍ଲାବାସୀ ଉପକୃତ ହେବେ । ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଚିକିତ୍ସା ପାଇଁ ଆଉ ଜିଲ୍ଲା ବାହାରକୁ ଯିବାକୁ ପଡ଼ିବ ନାହିଁ ।
