ଭୁବନେଶ୍ୱର: ଜେଲ୍ରୁ କଏଦୀ ଫେରାର ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ରୁ ୧୩ କଏଦୀ ଫେରାର ହୋଇଛନ୍ତି। ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିପାରିଛି ପୋଲିସ। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି। ଏହାସହ ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ବୋଲି ଗୃହରେ ତଥ୍ଯ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ୟପଟେ ରାଜ୍ୟରେ ଆଇଏଏସ, ଆଇପିଏସ୍, ଆଇଏଫଏସ ପଦବୀ ଖାଲି ନେଇ ମଧ୍ୟ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୪୬ଆଇଏଏସ, ୬୭ଆଇପିଏସ୍, ୭୦ଆଇଏଫଏସ୍ ପଦବୀ ଖାଲି ପଡିଛି । ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୭୦ଜଣ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
