ରଣପୁର,୧୮/୦୮: ୭୯ତମ ସ୍ୱାଧୀନତା ଦିବସର ପବିତ୍ର ପରିବେଶରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଜାତୀୟ ପତାକା ଉତ୍ତୋଳନ, ସ୍ୱାଧୀନତା ଦିବସ ପାଳନ ଓ ବାର୍ଷିକ ପୁରସ୍କାର ବିତରଣୀ ଧୁମଧାମରେ ଅନୁଷ୍ଠିତ ହେଲା। ପ୍ରଥମେ ଶିକ୍ଷବିତ ଲକ୍ଷ୍ମୀଧର ସାହୁ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ହସ୍ତରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ଏହାପରେ ସମସ୍ତେ ଜାତୀୟ ପତାକାକୁ ସାଲ୍ୟୁଟ କରି ଗମ୍ଭୀର ଭାବରେ ଜାତୀୟ ସଙ୍ଗୀତ ଗାଇଥିଲେ। ପରେ ଆରମ୍ଭ ହେଲା ବାର୍ଷିକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ।

ଏଥିରେ ବଜ୍ରକୋଟ ସରପଞ୍ଚ ବନିତା ବଳିଆରସିଂହ ମୁଖ୍ୟ ଅତିଥି ଭାବେ, ଖ୍ୟାତନାମା ଶିକ୍ଷବିତ ଲକ୍ଷ୍ମୀଧର ସାହୁ ମୁଖ୍ୟ ବକ୍ତା ଭାବେ, ଏବଂ ଲକ୍ଷ୍ମୀ ଦେଇ, ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ସଦସ୍ୟ ସରୋଜିନୀ ପ୍ରଧାନ, ସଦସ୍ୟ ରବୀନ୍ଦ୍ର କୁମାର ସଂଗ୍ରାମସିଂହ, ସଞ୍ଜିତା ନାୟକ, ଅଙ୍ଗନବାଡ଼ି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ, ଆଶା କର୍ମୀ ଚନ୍ଦ୍ରକାନ୍ତି ସ୍ୱାଇଁ ପ୍ରମୁଖଙ୍କ ବିଶିଷ୍ଟ ଉପସ୍ଥିତି ରହିଥିଲା। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବାର୍ଷିକ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ସେଥିସହ ବିଜ୍ଞାନମେଳା, ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ ପ୍ରଭୃତିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଟ୍ରଫି ସହିତ ପୁରସ୍କୃତ ହୋଇଥିଲେ।
ବିଶେଷକରି ଆଦର୍ଶ ବିଦ୍ୟାଳୟ ପ୍ରବେଷିକା ପରୀକ୍ଷା (୨୦୨୫–୨୬)ରେ ସଫଳତା ଅର୍ଜନ କରିଥିବା ଛାତ୍ରୀ ଆଦର୍ଶ ମାନସିଂହଙ୍କୁ ବିଦ୍ୟାଳୟ ପକ୍ଷରୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ପରିଚାଳନା କମିଟି ସଦସ୍ୟମାନେ ସହଯୋଗ କରିଥିଲେ। ଶିକ୍ଷକ ଦିଲ୍ଲୀପ କୁମାର ସାହୁଙ୍କ ଧନ୍ୟବାଦ ଜ୍ଞାପନରେ କାର୍ଯ୍ୟକ୍ରମର ସମାପନ ଘଟିଥିଲା। ସର୍ବଶେଷରେ ସମସ୍ତଙ୍କ ପାଇଁ ଆୟୋଜିତ ତିଥିଭୋଜନ ଏହି ପବିତ୍ର ଅବସରକୁ ଆହୁରି ସ୍ମରଣୀୟ କରିଦେଇଥିଲା।
