ଭୁବନେଶ୍ବର: ପାଖେଇ ଆସୁଛି ମହାଶିବରାତ୍ରୀ। ହାତରେ ଆଉ ମାତ୍ର ୮ ଦିନ ରହିଲା। ମାତ୍ର ଲିଙ୍ଗରାଜ ମନ୍ଦିର ପାର୍ଶ୍ବରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି। ଫଳରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ଦେଖାଦେବାର ଯଥେଷ୍ଟ ଆଶଙ୍କା ରହିଛି। ଭୁବନେଶ୍ୱରରେ ଥିବା ଏହି ପୁରାତନ ଶିବ ମନ୍ଦିର ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର ।
ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି। ବିଭିନ୍ନ ପର୍ବପର୍ବାଣୀ ସମେତ ବର୍ଷର ବିଭିନ୍ନ ସମୟରେ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାଆନ୍ତି। ମହାଶିବରାତ୍ରୀ ସମୟରେ ଏଠାରେ ସୋରିଷ ପକାଇବାକୁ ସ୍ଥାନ ମିଳେନି। ମାତ୍ର ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିର ସାମ୍ନା ପୂର୍ବ ଦକ୍ଷିଣ କୋଣରେ ଏକ ନିର୍ମାଣ କାମ ଚାଲିଛି। ଲୁହା ଛଡ଼ ମୁକୁଳା ରହିବା ସହ ଏହି ସ୍ଥାନଟି ଖାଲଖମାରେ ଭରି ହୋଇ ରହିଛି। ପୁଣି ସେଠାରେ ଇଟା ବାଲି ସବୁ ଗଦା କରି ରଖାଯାଇଛି। ଯଦି ଏହି ସ୍ଥାନରେ ନିର୍ମାଣ କାମ ତୁରନ୍ତ ଶେଷ କରା ନ ଯାଏ ଅଥବା ଇଟା, ବାଲି ସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରା ନ ଯାଏ, ତାହା ହେଲେ ଆଗାମୀ ଶିବରାତ୍ରୀ ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ନାନା ସମସ୍ୟା ସୃଷ୍ଟ କରିବ । ଏପରିକି ଆସନ୍ନ ବିପଦକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
