ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ବଜ୍ରାଘାତରେ ୯୨ ଜଣଙ୍କ ଜୀବନ ଯାଇଛି । ବରଗଡ଼ରେ ସର୍ବାଧିକ ୧୦ ଜଣ, କୋରାପୁଟରେ ୮, କେନ୍ଦୁଝର ଓ ଅନୁଗୁଳରେ ୭ ଜଣ ଲେଖାଏ, ପୁରୀ, ବଲାଙ୍ଗୀର, ବାଲେଶ୍ବର, ଗଂଜାମ, ଝାରସୁଗୁଡ଼ା ଓ ନୂଆପଡ଼ାରେ ବଜ୍ରପାତରେ ୫ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ସେହିପରି ମାଲକାନଗିରି ଓ ରାୟଗଡ଼ାରେ ୪ ଜଣ ଲେଖାଏ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ବନ୍ୟାରେ ୪ ଜଣ ଓ କାଳବୈଶାଖୀରେ ୪ଜଣ ପ୍ରାଣ ହରାଇଛନ୍ତି ।
ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ବାତ୍ୟା, ବନ୍ୟା, କାଳବୈଶାଖୀ ଓ ବଜ୍ରାଘାତ ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ବିଜ୍ଞାନ ସମ୍ମତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଓସଡମାର ବୈଷୟିକ ସହଯୋଗୀ ସଂସ୍ଥା RIMES ଦ୍ବାରା ମୋବାଇଲ ଆପ୍ ସତର୍କ ଦ୍ବାରା ହୋଇଥିବା ମୋବାଇଲ ଆପ ସତର୍କ ମାଧ୍ୟମରେ ବଜ୍ରପାତ ସଂପର୍କରେ ଲୋକଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯାଉଛି ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବଜ୍ରପାତର ମୁକାବିଲା ଓ ଏହାର ପ୍ରଭାବକୁ ହ୍ରାସ-ପ୍ରଶମନ ପାଇଁ NDMA ସହଯୋଗରେ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହାଦ୍ବାରା ବିଭିନ୍ନ ଟେକ୍ନୋଲୋଜିକୁ ବ୍ୟବହାର କରି ବଜ୍ରପାତ ଜନିତ ମୃତ୍ୟୁ ହାର ହ୍ରାସ ଯାଇପାରିବ । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବାତ୍ୟା, ବନ୍ୟା ଓ ସୁନାମୀ ଆଦି ସଂପର୍କରେ ପ୍ରାକ ସୂଚନା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ବାତ୍ୟା ଆପଦ ପ୍ରଶମନ ପ୍ରକଳ୍ପ ଅଧୀନରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ପ୍ରାକ ସୂଚନା ବିତରଣ ବ୍ୟବସ୍ଥା କରାଯାଇଛି । ରାଜ୍ୟର ଗୋପାଳପୁର, ପାରଦୀପଠାରେ ଡପଲର ରାଡାର ସ୍ଥାପନ କରାଯାଇଥିବା ବେଳେ ବୃଷ୍ଟିପାତ, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆଗୁଆ ସୂଚନା ଦିଆଯାଉଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
