ରଣପୁର (ଭିଓଭି): ସିଟୁ ନେତୃତ୍ଵରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରଣପୁର ବ୍ଳକ କମିଟି ତରଫରୁ ୧୪ ଦଫା ଦାବିରେ ବ୍ଳକ ଶିକ୍ଷା ଅଧିକାରୀଙ୍କ ଅଫିସ ଘେରାଉ କରାଯାଇଛି। ଦିନ ୧୨ ଘଟିକା ସମୟରେ ପଞ୍ଚୁଦୋଳ ପଡିଆ ସହିଦ୍ ରଘୁ-ଦିବାକର ମଣ୍ଡପଠାରୁ ପାଚିକାମାନଙ୍କର ଏକ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକାଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା। ବ୍ଳକ ସଭାପତି ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ୨୯ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ତଳ ସ୍ତରରେ କାର୍ଯ୍ୟ କରୁଥିବା ପାଚିକା ଓ ସହାୟିକାଙ୍କ ସାମଗ୍ରିକ ସମସ୍ୟା ପାଇଁ ସରକାରଙ୍କ ନୀତି ଦାୟୀ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ରଣପୁର ଅଞ୍ଚଳର ସମସ୍ତ ସ୍କୁଲକୁ ଏଲପିଜି ଗ୍ଯାସ ସଂଯୋଗ, ପରିଚୟ ପତ୍ର ପ୍ରଦାନ, ପାନୀୟ ଜଳ ଯୋଗାଣ, ରୋଷଶାଳା ନିର୍ମାଣ ଓ ୨୦୨୪ ସାଧାରଣ ନିର୍ବାଚନରେ କାର୍ଯ୍ୟରତ ପାଚିକାଙ୍କୁ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ ପାଇଁ ସଂଗଠନ ତରଫରୁ ଦାବି କରିଥିଲେ। ପାଚିକାଙ୍କୁ ତାମିଲନାଡୁ ସରକାରଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଭଳି ଓ କେରଳ ସରକାରଙ୍କ ଶ୍ରମିକ ମାନ୍ୟତା ଓ ମାସିକ ସର୍ବନିମ୍ନ ଦରମା ଭଳି ରାଜ୍ଯର ଡବଲ ଇଞ୍ଜିନି ମୋହନ ସରକାର ଯୋଗାଇ ଦେବାକୁ ଦାବି କରିଥିଲେ। ସେହିଭଳି ମାସିକ ପେନସନ ଦଶ ହଜାର ଟଙ୍କା, ଅବସର ଓ ମୃତ୍ୟୁକାଳୀନ ସହାୟତା ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ମଧ୍ୟ ଦାବି କରିଥିଲେ। ପରିଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଏବିଓ ରସାନନ୍ଦ ସାହୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଅଡିବସି ଥିଲେ। ଗ୍ୟାସ ସଂଯୋଗ ଓ ପରିଚୟ ପତ୍ର ପ୍ରଦାନ ଆସନ୍ତା ନଭେମ୍ବର ମାସ ସୁଦ୍ଧା ଦେବା ପାଇଁ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେବା ସହ ରୋଷେଇଶାଳା ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏହି ଆନ୍ଦୋଳନରେ ସିଟୁର ରାଜ୍ୟନେତା ପୂର୍ଣ୍ଣଚନ୍ଦ୍ର ପାଢୀ, ସୁରେଶ ସ୍ଵାଇଁ, ଜିଲ୍ଲା ନେତା ସଞ୍ଜୁକ୍ତା ସେଠୀ, ସବ୍ୟସାଚୀ ସେନାପତି, କାଳନ୍ଦୀ ନାୟକ, ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା, ସୁଶୀଲ ମହାନ୍ତି, କୁଳମଣି ପଲେଇ, ପ୍ରଭାତୀ ବେହେରା ଓ ଅନୁପମା ବେହେରା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।
