ପୁରୀ (ଭିଓଭି): ଏବେ ବି ମନରୁ ଲିଭିନି ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ବିଭିଷିକା। ବାଣ ଫୁଟାଇବା ସ୍ଥାନରେ ପ୍ରଶାସନ ଟିକେ କଟକଣା କରି ଦେଇଥିଲେ ଏତେ ବଡ଼ ଦୁର୍ଘଟଣା ଘଟି ନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା। ଦୀପାବଳୀ ର ଅବ୍ୟବହିତ ପୂର୍ବରୁ ପୁରୀ ପ୍ରଶାସନ ବାଣ ଫୁଟାଇବା କଟକଣା ଲାଗୁ କରିଥିବା ଦେଖି ଲାଗୁଥିଲା ସତେ ଯେମିତି ପ୍ରଶାସନ ଏଥର ସଜାଗ ହୋଇ ଯାଇଛି। ଆତସବାଜିର କାନ ଫଟା ଶବ୍ଦରୁ ଟିକେ ନିସ୍ତାର ମିଳିବ ବୋଲି ଭାବି ଆଶ୍ୱସ୍ତି ହୋଇଥିଲେ ବୃଦ୍ଧ ବୃଦ୍ଧା, ହୃଦରୋଗୀ ଙ୍କ ସମେତ ଅନେକ ସଚେତନ ନାଗରିକ। କିନ୍ତୁ ଫଳ ମିଳିଲା ଶୂନ। ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ଦୀପାବଳି ପଡିଥିବାରୁ କିଛି ଲୋକ ଗୁରୁବାରରେ ଦୀପାବଳି ପାଳନ କରି ଥିବା ବେଳେ କିଛି ଲୋକ ଶୁକ୍ରବାର ରେ ଦୀପାବଳି ପାଳନ କରିଥିଲେ। ଦୀପାବଳି ରେ କେବଳ ସନ୍ଧ୍ୟା ଆଠଟା ରୁ ଦଶଟା ମଧ୍ୟରେ ବାଣ ଫୁଟାଇବା ପାଇଁ ପ୍ରଶାସନ ନିର୍ଦ୍ଦେଶାନାମା ଜାରି କରିଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଅମାନିଆ ମାନେ ଦିନ ରାତି ବାଣ ଫୁଟାଇ ଥିଲେ। ସେଥିପ୍ରତି ଯେମିତି ପ୍ରଶାସନର ନିଘା ନଥିବା ପରି ମନେ ହେଉଥିଲା। ଗୁରୁବାର ରାତି ଏଗାରଟା ପରେ ମଧ୍ଯ ବିଭିନ୍ନ ଥାନା ନିକଟରେ ଆତସବାଜି ଫୁଟୁଥିବା ର ନଜର କୁ ଆସିଥିଲା। ହେଲେ କାହା ଉପରେ ସେମିତି କିଛି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦେଖା ଯାଇ ନଥିଲା। ଆଜି ଶୁକ୍ରବାର ସନ୍ଧ୍ୟାରେ କୁମ୍ଭାରପଡା ଥାନା ଅଧିନସ୍ଥ ଅବକାଶ ଲେନ ରେ ପୋଲିସ ଗାଡି ରେ ମାଇକ୍ ଯୋଗେ ଉଚ୍ଚ ଶବ୍ଦ ଯୁକ୍ତ ବାଣ ନ ଫୁଟାଇବାକୁ ପ୍ରଚାର କରି କରି ଯାଉଥିବା ବେଳେ ଅମାନିଆ ମାନେ କିନ୍ତୁ ଗାଡି ପଛପଟେ ଢୋ ଢା କରି ବାଣ ଫୁଟାଇବା ଭଳି କୌତୁହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା।ପ୍ରଶାସନ ବାସ୍ତବରେ କଟକଣା ଜାରି କରିଛନ୍ତି ନା କଟକଣା ଜାରି କରିବା ଭଳି ପ୍ରଚାର କରିଦେଇ ଧର୍ମକୁ ଆଖିଠାର ଭଳି ନିଜର କର୍ତ୍ତବ୍ୟ ଶେଷ କରି ଦେଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
