ରଣପୁର (ଭିଓଭି) : ରବିବାର ସନ୍ଧ୍ୟା ୬ଟାରେ ରଣପୁର ଥାନା ଅଧିନସ୍ଥ ଲୋଧାଛୁଆ ଠାରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୬ ଘଟିକା ସମୟରେ ରଣପୁରଠାରୁ ସୁନାଖଳା ଅଭିମୁଖେ ଯାଉଥିବା ଚୌଧୁରୀ ନାମକ ଏକ ଯାତ୍ରୀବାହୀ ବସ ଯାହାର ନମ୍ବର OD-02-BH-0932କୁ ଓଭର ଟେକ କରି ପରସ୍ପର ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକି ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ଉଭୟ ବାଇକ୍ ଚାଳକ ବସ୍ ଚକା ତଳକୁ ଛିଟିକି ପଡ଼ିଥିଲେ | ଏହା ପରେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା | ସେଠାରେ ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ତେବେ ମୃତ ଦୁଇ ଜଣ ରଣପୁର ଏନ.ଏ.ସି. ଅନ୍ତର୍ଗତ ୱାର୍ଡ ନମ୍ବର ୯ ରାଜବାଟୀ ନୂଆ ସାହିର କାଳିଆ ମହାପାତ୍ର (୩୦) ପିତା- ବାସୁ ମହାପାତ୍ର, ଅନ୍ୟ ଜଣେ ଚାନ୍ଦପୁର ଅଞ୍ଚଳର ବିଜୟ ସାହୁ (୩୨) ବୋଲି ଜଣାପଡିଛି। ଗୁରୁତର ଯୁବକଙ୍କ ନାମ ହେଉଛି ସୁଶାନ୍ତ ରଣା (ନଣ୍ଡା) ବୟସ ୩୦। ତେବେ ରଣପୁର ଆଇ.ଆଇ.ସି ମୁକେଶ ବେହେରା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଚୌଧୁରୀ ବସକୁ ଜବତ ସହ ଘଟଣାର ତଦନ୍ତ ଚଳାଇଛନ୍ତି।
