ରଣପୁର (ଭିଓଭି): ଗଣ ଶିକ୍ଷା ବିଭାଗର ଚିଠି ନମ୍ବର ୧୧୦୯୯ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକୁ ନେଇ ଆଜି ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତିଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି | ଏଥିରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ନାୟକ, ମୋ ସ୍କୁଲ ସଭାପତି ଦୟାନିଧି ରୟଗୁରୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ |ଏହି ବୈଠକରେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠଯୋଜନା, ଶ୍ରେଣୀ ପରିଚାଳନା ସମୟର ସୁବିଧା ଅସୁବିଧା, ମାନ ନିର୍ଦ୍ଧାରଣ ଟ୍ରାକର ରେଜିଷ୍ଟର ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି ଆଦି ବିଷୟରେ ଆଲୋଚନା କରାଯାଇଥିଲା | ଏହା ସହିତ ଏକକ ଶିକ୍ଷାଦାନ ପଦ୍ଧତି, ବହୁ ଶ୍ରେଣୀୟ ଶିକ୍ଷାଦାନ ପଦ୍ଧତିର ସୋପାନ ବିଷୟରେ ଆଲୋଚନା କରାଯାଇଥିଲା | ଏହା ସହ ଶିକ୍ଷକ ସୁକାନ୍ତ କୁମାର ବେହେରା, ଭଗବତ ଜେନା, ଭ୍ରମରବର ତାଡ଼ ପ୍ରମୁଖ ବିଭିନ୍ନ ଶିକ୍ଷାଦାନ ପଦ୍ଧତିର ନମୁନା ଶ୍ରେଣୀ ନେଇ ଶିକ୍ଷାଦାନ କରିଥିଲେ |

ଏହି ବୈଠକର ଆଲୋଚନା ବିଷୟ ବସ୍ତୁଗୁଡିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୈନଦିନ ବିଦ୍ୟାଳୟ ପରିଚାଳନା, ଶ୍ରେଣୀରେ ଶୈକ୍ଷିକ କାର୍ଯ୍ୟ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଚିହ୍ନଟ କରି ତାର ସମାଧାନରେ ସାହାଯ୍ୟ କରିବ | ଏହି ବୈଠକରେ କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୮ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ | ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ସମନ୍ୱୟ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ ବିଶ୍ୱାଳ ମଧ୍ୟ ଏଥିରେ ଯୋଗ ଦେଇ ବୈଠକର ଆବଶ୍ୟକତା ସମ୍ବନ୍ଧରେ ବୁଝାଇଥିଲେ | ସେହିପରି ଖଇରପଲ୍ଲୀ କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ସାନପଥୁରିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ଦାସଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି | ଏଥିରେ ଅବସରପ୍ରାପ୍ତ ଶିକ୍ଷକ ରସାନନ୍ଦ ବେହୁରା ଓ ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲେଶ୍ୱର ରାଉତ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବୈଠକରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁକୁ ଖୁବ ସରଳ ଭାବେ ଆଲୋଚନା କରିଥିଲେ | ଏଥିରେ କ୍ଲଷ୍ଟରର ୩ ଜଣ ପ୍ରଧାନ ଶିକ୍ଷକଶିକ୍ଷୟତ୍ରୀ ଓ ୯ ଜଣ ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଥିଲେ | ସେହିପରି ରଣପୁର, ଗୌରାଙ୍ଗପୁର, ମଝିଆଖଣ୍ଡ, ସୁନାଖଳା, ଝାଡ଼ପଡା ସମେତ ବ୍ଲକ ସମସ୍ତ କ୍ଲଷ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି |
