ଶ୍ରୀ ଜଗନ୍ନାଥ ଧାମ, ଶ୍ରୀ କ୍ଷେତ୍ର ପୁରୀ ସ୍ଥିତ ସ୍ୱର୍ଗଦ୍ୱାରରେ ପ୍ରତ୍ୟେକ ହିନ୍ଦୁ ଜୀବନ ପରବର୍ତ୍ତୀ ମୋକ୍ଷ ପ୍ରାପ୍ତିର ଆଶା ଓ ବିଶ୍ୱାସରେ ନିଜର ତଥା ଜ୍ଞାତି ପରିବାର ପରିଜନର ମର ଶରୀରକୁ ଦାହ ସପ୍ସସ୍କାର କରିବା, କରାଇବାରେ ବିଶେଷ ଆକାଂକ୍ଷା ରଖିଥାନ୍ତି । ପ୍ରତିଦିନ ଏଥିପାଇଁ କେବଳ ଆମ ରାଜ୍ୟ ଓଡ଼ିଶାର କୋଣ ଅନୁକୋଣ ନୁହେଁ, ରାଜ୍ୟ ବାହାରୁ ମଧ୍ୟ ବହୁ ହିନ୍ଦୁ ଶବ ସତ୍କାର କରିବା ପାଇଁ ଶବ ବାହକ ଗାଡ଼ି ଭଡାକରି ମର ଶରୀର ନେଇ ପୁରୀ ସ୍ୱର୍ଗଦ୍ୱାରକୁ ଆସି ଭିଡ଼ ଜମାଇଥାନ୍ତି ।
ପାଖ ହେଉ ଅବା ଦୂର, ଶୋକାକୁଳ ପରିବାର ପରିଜନ ଆଣିଥିବା ମର ଶରୀରକୁ ଦାହ ସପ୍ସସ୍କାର କରିବାକୁ ଅବଶ୍ୟ ଅସୀମ ବ୍ୟଗ୍ରତା ଦେଖାଇଥାନ୍ତି । ସେମାନଙ୍କର ଅନେକ ପାଖ ଲୋକ/ ସହଯୋଗୀ ନିଜକୁ ବାସ୍ତବବାଦୀ ତଥା ଦୃଢ଼ ମନା ବୋଲି ସାବିତ କରିବାକୁ ଯାଇ ପରିସ୍ଥିତିର ତାଡ଼ନାରେ ଅସହାୟ ହୋଇଯାଇଥିବା ଶୋକାକୁଳ ବ୍ୟକ୍ତି/ ସମୂହଙ୍କୁ ଏକ ପ୍ରକାର ଯାନ୍ତ୍ରିକ ଜୀବନରେ ଛନ୍ଦି ଦେବାକୁ ଭୁଲି ନଥାନ୍ତି । ସେମାନଙ୍କ ଉପରେ ଚାପ ସୃଷ୍ଟି କରାଇ ଆବଶ୍ୟକ ପଦକ୍ଷେପ ନେବାକୁ ଶବ ସତ୍କାର ନିମନ୍ତେ ତଡ଼ିତ ବେଗରେ ପରକୁ ପର ନିର୍ଦ୍ଦେଶନା ଦେବାକୁ ଲାଗିଯାଇଥାନ୍ତି । ଏଭଳି ଉପସ୍ଥିତିରେ ଯେନତେନ ପ୍ରକାରେ ଉପସ୍ଥିତ ବ୍ରାହ୍ମଣଙ୍କୁ ଦରାଣ୍ଡି ନେଇ ଯତ୍ ପରୋନାସ୍ତି ଶୀଘ୍ରାତିଶୀଘ୍ର ପଥ ଶ୍ରାଦ୍ଧ ଆଦି କ୍ରିୟାକର୍ମରେ ତତ୍ପରତା ରଖାଇ ଆଗକୁ କାମ ବଢ଼ାଇବାକୁ ବ୍ୟାକୁଳତା ଦେଖାଇବାରେ ବ୍ୟସ୍ତ ଥାନ୍ତି । ପାଖ ଲୋକଙ୍କ ସହାୟତାରେ ଶୋକାକୁଳ ମୁଖ୍ୟ ଲୋକଟି ଆଖି ଲୁହ ପିଇ ଆକୁଳିତ ହୋଇ ହୁତୁହୁତୁ ଏକାଧିକ ଜଳୁଥିବା ଜୁଇ ମଧ୍ୟସ୍ଥ ସ୍ୱର୍ଗ ଦ୍ୱାର ଭୁଇଁରେ ଖାଲି ଜାଗା ଖଣ୍ଡିଏ ଅଣ୍ଡାଳିବାକୁ ଫୁରୁସତ ମଧ୍ୟ ପାଇନଥାଏ । ପାଖ ଲୋକଙ୍କ ସହାୟତାରେ ସେ ଜୁଇ ସଜାଡି ମୁଖାଗ୍ନି ପ୍ରଦାନ ପାଇଁ ଭାବ ବିହ୍ୱଳିତ ବ୍ୟଗ୍ରତା ଦେଖାଇଥାଏ । ଏହି ଅବସରରେ ଜୁଇରେ କିପରି ଶୀଘ୍ର ଅଗ୍ନି ସଂଯୋଗ ହେବ ବୋଲି ଯେତିକି ଯେତିକି ପଥ ଶ୍ରାଦ୍ଧ ଆଦି କ୍ରିୟାକର୍ମର ଆୟୋଜନର ତତ୍ପରତା ଚାଲିଥାଏ, ସେତିକି ସେତିକି ସ୍ୱର୍ଗଦ୍ୱାର କାର୍ଯ୍ୟ ସାରି ଗୃହାଭିମୁଖୀ ହେବାକୁ ତତ୍ପର ଲୋକେ ମର ଶରୀରକୁ ମୁଖାଗ୍ନି ପ୍ରଦାନ କରାଇବା ପାଇଁ କାର୍ଯ୍ୟକୁ ଆଗକୁ ବଢ଼ାଇଥାନ୍ତି । ସ୍ୱର୍ଗଦ୍ୱାରରେ ଜଳୁଥିବା ଜୁଇରେ କାଠକୁ ପବନ ମୁହଁରେ ରଖାଇ ମର ଶରୀରକୁ ସେଥିରେ ଆଉଜାଇ ଦେଇ ଉପରେ ଅଳ୍ପ କିଛି କାଠ ଓ ଝାଉଁ ଝାଟିରୁ ଶିରିଶିରି ପବନରେ ଅଗ୍ନିଶିଖା ଉଠିଥାଏ । ଅଧା ଫୁଙ୍ଗୁଳା ସାରା ଶରୀରକୁ ଜୁଇ ନିଆଁ ଦଗ୍ଧିଭୂତ କରି ଚାଲିଥିବା ବେଳେ ବାକି ଅଧା ଶରୀରରେ କେତେବେଳେ ସେହି ନିଆଁ ଆସି ସଂଚରିଯିବ ବୋଲି ସତେଯେମିତି ନିରବୀ ପଡିଥାଏ । ସେତିକି ବେଳେ ପୁଣି ପଛକୁ ପଛ ବିଭିନ୍ନ ସ୍ଥାନରୁ ସ୍ୱର୍ଗଦ୍ୱାର ମୁଖୀ ହେଉଥିବା ଅନ୍ୟାନ୍ୟ ମର ଶରୀର ସଂସ୍କାର ପାଇଁ ଲେଲିହାନ ଜଳନ୍ତା ଜୁଇ ମଧ୍ୟରେ ସେହି ଏକା ପ୍ରକାର ମାଲଭାଇ, ଜ୍ଞାତି କୁଟୁମ୍ବ ନିର୍ବିକାର ଚିତ୍ତରେ ସ୍ଥାନ ନିରୂପଣରେ ତାତିଲା ସ୍ୱର୍ଗ ଦ୍ୱାର ଭୁଇଁ ଖେଦି ଚାଲିଥିବାର ବ୍ୟଗ୍ରତା ଦେଖିବାକୁ ମିଳିଥାଏ । ଏହି ସମୟରେ ଅଧା ଜଳା ପୂର୍ବ ଜୁଇକୁ କ୍ରମେ ହତାଦର ହେଉଥିବା ନିରେବ ବାରି ହୋଇଯାଏ । ଅବହେଳିତ ନିଜ ମର ଲୋକର ଜୁଇରୁ ଅସ୍ଥି ନେଇ ସ୍ୱସ୍ଥାନ ଫେରିଯିବାକୁ ବ୍ୟଗ୍ର ହେଉଥିବା ପରିଜନଙ୍କ ପରିସ୍ଥିତିର ଫାଇଦା ଉଠାଇବା ହେଉ ଅବା ସେମାନଙ୍କ ସମ୍ବେଦନଶୀଳତାର ଅଭାବରୁ ସୃଷ୍ଟ ଦାୟିତ୍ୱ ହୀନତା ହେଉ, “ନିୟୋଜିତ ଶବ ଦାହକ’ ଜଳୁଥିବା ଜୁଇରୁ ଦରପୋଡ଼ା ଅସ୍ଥି ଖଣ୍ଡେ ସଂଗ୍ରହ କରିଦିଏ । ଏଥି ସହିତ ସେ ପୂର୍ବ ଜୁଇର ବାକି ଦହନ କର୍ମ ସାରିଦେବ ବୋଲି ପ୍ରତିଶ୍ରୁତି ଦେଇଥାଏ । ସେ ବେପରୁଆ ଢଙ୍ଗରେ ହେଉ ଅବା ପରବର୍ତ୍ତୀ ତହୁଁ ତହୁଁ ଶବଦାହ ପାଇଁ ଆସୁଥିବା କର୍ମ ଚାପ ହେଉ, ପୂର୍ବ ଜୁଇଟିର ସମ୍ପୂର୍ଣ୍ଣ ଦେହାବଶେଷ ଜଳି ନିଶ୍ଚିହ୍ନ ହେବାରୁ ବଞ୍ଚିତ ରହିଯାଏ । ଏଭଳି ପରିସ୍ଥିତିରେ ପୂର୍ବ ଜୁଇର ନିଆଁ ଲିଭାଇ ନିୟୋଜିତ ଶବ ଦାହକଟି ହୁଏତ ପରବର୍ତ୍ତୀ ଆଉ କାହାର ଜୁଇ ସଜାଡ଼ୁନଥିବ କାହିଁକି? ଏହାର ଆଶୁ ସମାଧାନ ପାଇଁ ଆମେ ଆମ ସ୍ୱର୍ଗତ ନିଜ ଲୋକଟିର ମରଶରୀରର ଜୁଇ ଜଳିବା ଶେଷ ହେବା ଯାଏଁ ରହିବା ନିହାତି ଜରୁରୀ । ହେଲେ ଶୋକାକୁଳ ମଣିଷଟି ଘରକୁ ଫେରି ମଲା ଘରର ପରବର୍ତ୍ତୀ କର୍ମ କର୍ମାଣି ଆରମ୍ଭ କରିବା ପାଇଁ ତିକ୍ତାର୍ଣ୍ଣ ପ୍ରସ୍ତୁତି ଚିନ୍ତାରେ ରହିଥାଏ । ଅସ୍ଥି ନେଇ ସେଇ ସ୍ୱର୍ଗଦ୍ୱାରରେ ଆପଣା ସ୍ୱର୍ଗତ ଲୋକଟିର ଅବର୍ତ୍ତମାନକୁ ଛାଡି ଦେଇ ଘରକୁ ଫେରିପଡି ଥାଏ । ଯେଯାହାର ପରିବାର ଜ୍ଞାତି କୁଟୁମ୍ବ ମଧ୍ୟ ଘରକୁ ନିଶ୍ଚିନ୍ତରେ ଫେରିଯାଇଥାନ୍ତି ।
ହେଲେ ଏତିକି ରେ ଯଦି କଥାଟି ସୁରୁଖୁରୁରେ ସରିଯାଉ ଥାଆନ୍ତା, ତେବେ ଜଳୁଥିବା ଜୁଇର ନିଆଁ ଲିଭିବା ପୂର୍ବରୁ ଦରଲିଭା ରହିଯାଉନଥାନ୍ତା । ସେଥିରୁ ଦରପୋଡା ମର ଶରୀରର ଅବଶେଷ ଏଠି ସେଠି ବିକ୍ଷିପ୍ତ ପଡ଼ିବା, ତାକୁ ଶ୍ୱାନ ଶୃଗାଳ ଟାଣି ଭିଡି ଖାଇବା ଖବର ଲୋକ ଲୋଚନକୁ ଆସୁଥାନ୍ତା । ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଫଟୋ ସହ ଖବର ପ୍ରସାରଣ ମଧ୍ୟ ହେଉନଥାନ୍ତା । ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆମକୁ ଆବଶ୍ୟକ କର୍ତ୍ତବ୍ୟ କର୍ମ ନିର୍ଦ୍ଧାରଣ କରିବାକୁ ହେବ । ମାନସିକ ଶାନ୍ତି ଓ ଆଧ୍ୟାତ୍ମିକତାର ବଶବର୍ତ୍ତୀ ହୋଇ ଦୂରଦୂରାନ୍ତର ରୁ ଆସି କେବଳ ସ୍ୱର୍ଗ ଦ୍ୱାରରେ ଶବ ସତ୍କାର କରିଦେଲେ କଥା ସରେ ନାହିଁ । ମାଟିର ଘଟ ନିଶ୍ଚୟ ମାଟି ରେ ମିଶିବ । ଏଥିରେ ଦ୍ୱିମତ ନାହିଁ । ହେଲେ ଜୁଇରେ ଶୁଆଇ ସତ୍କାର ଉଦ୍ଦେଶ୍ୟରେ ସ୍ୱର୍ଗତ ପ୍ରିୟ ଲୋକଟିର ମରଶରୀରଟିର ଯଥାରୀତି ଦାହ ସଂସ୍କାର କରାଇ ଜୁଇ ଲିଭିବା ଯାଏଁ ଅପେକ୍ଷା କରିବାରେ କ୍ଷତି କ’ଣ? ଏତିକି ଯଦି ହୋଇପାରନ୍ତା, ତେବେ କେବଳ ପୁରୀ ସ୍ୱର୍ଗ ଦ୍ୱାର କାହିଁକି, ଅନେକ ସ୍ଥଳ ବିଶେଷରେ, ଅନେକ ସ୍ଥାନରେ, ଗାଁ ମଶାଣୀ ଭୁଇଁ ର ଜଳୁଥିବା ଜୁଇକୁ ଶେଷ ପର୍ଯ୍ୟାୟରେ ଛାଡି ଅନେକ ପଳାଇ ଆସନ୍ତି । ଏହି ପରିସ୍ଥିତିରେ ସେହି ଜୁଇର ନିଆଁ ଆବଶ୍ୟକ ଦହନ ଓ ଖୁୁଞ୍ଚମରା ଅଭାବରୁ ନିଆଁ ଲିଭି ଯାଇ ଜଳୁଥିବା ଦେହାବଶେଷ ଅଧାଜଳା ରହିଯାଇଥାଏ । ଏହାକୁ ଆବଶ୍ୟକ ଧ୍ୟାନ ଦେଇ ଜୁଇ ଲିଭିବା ଯାଏଁ ଅପେକ୍ଷା କଲେ ଦରପୋଡା ଦେହାବଶେଷ ପରିତ୍ୟକ୍ତ ରୁହନ୍ତା ନାହିଁ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ ।
ଆମ ସଭିଁଙ୍କୁ ଆମର ଅବଚେତନାରେ ସେହି ଦରପୋଡା ଦେହାବଶେଷର ଅବସୋସ ଚେତେଇ ଦେଉଥିବା ଶୁଣିବାକୁ ହେବ । ସେହି ଅବସୋସ କହୁଛି ଯେ, “ଜୀବନ ଥିଲାବେଳେ ମୋର ସେଇ ସ୍ଥୁଳ ଶରୀରକୁ କେତେ ସମ୍ପର୍କୀତ ଥିଲୁ, ଆଦର ସ୍ନେହ ଶ୍ରଦ୍ଧା କରି ଆସୁଥିଲୁ, ଏବେ ତା’ର ଅବର୍ତ୍ତମାନରେ, ତାର ଅଧାପନ୍ତରିଆ ଶବ ସତ୍କାର ଅବସରରେ ସେହି ମୋର ପରିତ୍ୟକ୍ତ ଦରପୋଡ଼ା ଶରୀରାଂଶକୁ ଶ୍ୱାନଶୃଗାଳ କାଉ ଶାଗୁଣା ଟାଣି ଭିଡ଼ୁଥିବା ବେଳେ ତାକୁ ତୁ ଦେଖି ସହିପାରୁଛୁ କେମିତି? ଏଇ ସ୍ଥୁଳ ଶରୀରର ମୃତ୍ୟୁ ଘଟିବା ପରେ ମୁଁ ପରା ତା’ର ଏକ ଆତ୍ମା! ଆତ୍ମାରୂପକ ସେହି ସୂକ୍ଷ୍ମ ଶରୀରରେ ମୁଁ ତୋ ଚାରିପଟେ ଏବେ ଘୁରି ବୁଲୁଛି! ଅନୁଭବ କଲେ ଜାଣିପାରିବୁ । ଏହି ପରିପ୍ରେକ୍ଷୀରେ, ମାନବୀୟ କର୍ତ୍ତବ୍ୟ ସମ୍ପାଦନା ଅବସରରେ ପୋଡ଼ ପୋତ ଆଦି ଆବଶ୍ୟକ ସଂସ୍କାରରେ ଆମ ସ୍ୱର୍ଗତ ଲୋକଟିର ମର ଶରୀରର ଉଚିତ୍ ସମ୍ମାନ ପୂର୍ବକ ଶବ ସତ୍କାରେ ଆବଶ୍ୟକ କର୍ତ୍ତବ୍ୟକର୍ମ ନିର୍ବାହ ସହ ସମ୍ବେଦନଶୀଳ ହେବା ନିହାତି ଜରୁରୀ ଅଟେ ।
ପ୍ରଦୋଷ କୁମାର ଦାସ
ସ୍ତମ୍ଭକାର,ସା/ପୋ:- ନାଚୁଣୀ, ଜିଲ୍ଲା:- ଖୋର୍ଦ୍ଧା, ପିନ୍:-୭୫୨୦୩୪
