ଢେଙ୍କାନାଳ (ଭିଓଭି) : କପିଳାସ ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ବିଜେ କପିଳାସ ପୀଠର ସୁରକ୍ଷା ପାଇଁ ନୂତନ ଭାବେ ଗଠିତ ହୋଇଛି ” କପିଳାସ ସୁରକ୍ଷା ପରିଷଦ ” । ଆଜି କପିଳାସ ଭକ୍ତ ନିବାସ ରେ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଏକ ୨୧ ଜଣିଆ କମିଟି ଗଠନ କରାଯାଇ ଖୁବ୍ ଶୀଘ୍ର ଢେ଼ଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି କପିଳାସ ପୀଠ ଓ ଏହାର ଚାରିପାଖରେ ଉପୁଜୁଥିବା ସମସ୍ୟା ଗୁଡ଼ିକ ସମାଧାନ ପାଇଁ ଦାବି ଉପସ୍ଥାପନ କରାଯିବ । ଯଦି ଏହି ସମସ୍ୟା ଗୁଡ଼ିକ ଜିଲ୍ଲା ପ୍ରଶାସନ ସମାଧାନ କରିବାରେ ବିଫଳ ହୁଅନ୍ତି ତେବେ ଆଗାମୀ ଦିନରେ ଶ୍ରୀଜୀଉଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସ୍ଥାନୀୟ ଅନେକ ଆଗ୍ରହୀ ଯୁବକ ତଥା ସମାଜସେବୀଙ୍କ ସମେତ ଗନ୍ଦିଆର ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ସିଂହ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ନାୟକ, ବେଲଟିକିରି ପଞ୍ଚାୟତର ସରପଞ୍ଚ ବଳରାମ ସାମଲ, କାଇମାଟି ସରପଞ୍ଚ ଅମିତ୍ ସ୍ୱାଇଁ, ଗନ୍ଦୀଆ ବ୍ଲକ୍ ର ଉପାଧ୍ୟକ୍ଷ ନବ ସାମଲ , ମନରେଗାର ପୂର୍ବତନ ଲୋକପାଳ ଅମରେନ୍ଦ୍ର ମଲ୍ଲ ,ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ ନାୟକ, ବରିଷ୍ଠ ସେବାୟତ ଗୁରୁ ଚରଣ ମହାପାତ୍ର , ସୁରେଶ ପତି,ବିଜୟ ମହାପାତ୍ର, ପ୍ରକାଶ ପତି ଓ ବିଶ୍ୱଜିତ୍ ପତି ଙ୍କ ସମେତ ଅନେକ ଯୁବକ ତଥା ପରିବେଶବିତ୍ ଯୋଗ ଦେଇ ଆଗାମୀ ଦିନରେ ଏହି ସଂଗଠନକୁ ସୁଦୃଢ଼ କରିବାକୁ ନିଷ୍ପତି ନେଇଥିଲେ।
