ସତ୍ୟବାଦୀ (ଭିଓଭି): ସତ୍ୟବାଦୀ ବ୍ଲକ୍ ବୀରରାମଚନ୍ଦ୍ରପୁର ପଞ୍ଚାୟତ ର ଡୁଙ୍ଗର ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇ ଗତ ୨୩ ତାରିଖ ପୂର୍ବାହ୍ନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ଗଲା କିଛି ଦିନ ତଳେ ଲଘୁଚାପଜନିତ ବର୍ଷାରେ ଅମଳଯୋଗ୍ୟ ଧାନବିଲ ଜଳମଗ୍ନ ହେବା ଫଳରେ ନିଜର ଉଜୁଡି ଯାଇଥିବା ଧାନ ଫସଲକୁ ଦେଖି ବିଲ ମୁଣ୍ଡରେ ଅଚେତ ହୋଇପଡିଥିଲେ ପୂର୍ଣ୍ଣଚନ୍ଦ୍ର। ଘରଲୋକ ଓ ପାଖପଡୋଶୀଙ୍କ ସହାୟତାରେ ତାଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ୍ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ଘଟିଲା ପରେ ସ୍ଥାନୀୟ ପ୍ରଶାସନ ତରଫରୁ ଯଥାଯୋଗ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦିଆଯାଇଛି। ରେଡକ୍ରସ ତରଫରୁ ଦଶହଜାର ଟଙ୍କା ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯାଇଛି। ସେହିପରି ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ପହଞ୍ଚି ମୃତକଙ୍କ ପରିବାରକୁ ଦଶହଜାର ପାଞ୍ଚଶହ ଟଙ୍କା ସହାୟତା ଦେବା ସହ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଆତ୍ମା ଅଧ୍ୟକ୍ଷ ମହମ୍ମଦ ଝିକିରିଆ, ସୁବାଷ ପ୍ରଧାନ, ପ୍ରକାଶ ଖଟେଇ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସାହାଯ୍ୟ ର ପ୍ରତିଶୃତି ଦେଇଥିଲେ।

