ରଣପୁର (ଭିଓଭି) : ଆଗ ପଛ ହୋଇ ଦୁଇଟି ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଧାନ ଅମଳ ହେବା ପୂର୍ବରୁ କଟା ହୋଇ ଜମି ରେ ପଡି ରହିଥିବା ଧାନ ସବୁ ନଷ୍ଟ ହୋଇଯିବା ଯୋଗୁଁ ଚାଷୀ ମାନଙ୍କ ଅଣ୍ଟା ଭାଙ୍ଗି ଯାଇଛି । ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି । ନିରୀହ ଚାଷୀ ମାନଙ୍କ ଆଖିରୁ ଲୁହ ଶୁଖୁନି । ଧାନ ଫସଲ ପାଇଁ ଚଳିତ ଖରିପ ଋତୁ ବେଶ ସହାୟକ ହୋଇଥିବା ବେଳେ ସୁନାର ଫସଲ ଅମଳ କରିବା ବେଳକୁ ଦୈବୀ ସାଜିଲା ବଇରୀ । ସବୁ ଆଶା ଚାଷୀର ନିମିଷକ ମଧ୍ୟରେ ଧୂଳିସାତ ହୋଇଗଲା । ବିଜେପି ସରକାର ଧାନର କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ କରିଥିବା ହେତୁ ଚାଷୀମାନେ ଧାର କରଜ ଶୁଝିବା ପରେ ବେଶ ଲାଭବାନ ହୋଇପାରିବେ ବୋଲି ଆଶା ବାନ୍ଧି ବସିଥିଲେ । ମାତ୍ର ସବୁ କିଛି ଉଭେଇଗଲା | ଏବେ ଜମିରେ ହିଡ଼ ମୁଣ୍ଡରେ ବସି ପରିବାର ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଚାଷୀକୁଳ । ରାଜ୍ୟରେ ଲୋକଙ୍କ ସରକାର କ୍ଷମତାସିନ ହୋଇଥିବା ହେତୁ ବିଜେପି ସରକାର ସେମାନଙ୍କୁ ଉପଯୁକ୍ତ କ୍ଷୟକ୍ଷତିର ସହାୟତା ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବେ ବୋଲି ଆଶା ରଖିଛି । ଏପରି ଏକ ଦୁର୍ଦିନ ସମୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ରଣପୁର ବ୍ଲକ କନ୍ଧ ନୟାଗଡ଼ ପଞ୍ଚାୟତର ବିଭିନ୍ନ କ୍ଷତିଗ୍ରସ୍ତ ଧାନ ଫସଲ ଜମି ପରିଦର୍ଶନ କରି କ୍ଷତି ଆକଳନ କରିବା ସହିତ ଚାଷୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡିଛି । ଶ୍ରୀ ସାହୁଙ୍କ ସହିତ ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, କୃଷକ ନେତା ସଞ୍ଜୟ କୁମାର ନାୟକ ପ୍ରମୁଖ ସାମିଲ ଥିଲେ।
