• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ‘ସମସ୍ତେ ନ୍ୟାୟ ପାଇବେ, କେହି ନିରାଶ ହେବେନି’

by Voice of Victims
December 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ‘ସମସ୍ତେ ନ୍ୟାୟ ପାଇବେ, କେହି ନିରାଶ ହେବେନି’

ଭୁବନେଶ୍ୱର : ଲୋକମାନେ ବହୁତ ଆଶା ଓ ଭରସା ନେଇ ଆମ ପାଖକୁ ଆସୁଛନ୍ତି। ସମସ୍ତଙ୍କ ଅଭିଯୋଗ ଓ ସମସ୍ୟାକୁ ଗୁରୁତ୍ୱଦେଇ ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରିରହିଛି। ଏହା ଫଳରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ନ୍ୟାୟ ଦେଇପାରୁଛୁ। ସମସ୍ତେ ନ୍ୟାୟ ପାଇବେ, କେହି ନିରାଶ ହେବେ ନାହିଁ। ଆଗାମୀ ଦିନରେ ଆର୍‌ଡିସି ସ୍ତରରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କାର୍ଯ୍ୟକାରୀ କରିବାର ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ସୋମବାର ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସପ୍ତମ ପାଳିରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଆଜି ଆରମ୍ଭରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ବାହାରେ ଚେୟାରରେ ବସିଥିବା ପ୍ରାୟ ୪୦ ଜଣ ଭିନ୍ନକ୍ଷମମାନଙ୍କୁ ପ୍ରଥମେ ଭେଟିଥିଲେ। ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଗୋଟି ଗୋଟିକରି ଶୁଣିବା ପରେ ପାଖରେ ଥିବା ମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭିନ୍ନକ୍ଷମମାନଙ୍କ ମଧ୍ୟରେ ବୌଦ୍ଧର ହେରମ୍ବ ଗିରି ଆସିଥିଲେ ଅଜଣା ଜଟିଳ ରୋଗରେ ପୀଡ଼ିତ ତାଙ୍କ ୭ ବର୍ଷର ନାବାଳକ ପୁଅ ପ୍ରତ୍ୟୁଷ ଗିରିଙ୍କୁ ନେଇ। ପିଲାଟିର ଦୁଇଟି ଯାକ ଆଖି ନଷ୍ଟ ହୋଇଯାଇଛି। ବାପା ମା’ ଦୁହେଁ ଚିକିତ୍ସା ବାବଦରେ ଦୌଡ଼ି ଦୌଡ଼ି ସମସ୍ତ ଟଙ୍କା ଖର୍ଚ୍ଚ କରିସାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଦେଖିବା ପରେ ତୁରନ୍ତ ପାଖରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇବା ପାଇଁ କହିଥିଲେ। କ୍ୟାପିଟାଲ ହସ୍ପିଟାଲରୁ ପିଲାଟି କଟକ ବଡ଼ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପିଲାଟିର ଚିକିତ୍ସା କିପରି ହେବ ସେ ସମ୍ପର୍କରେ ତନ୍ନ ତନ୍ନ କରି ବୁଝୁଥିଲେ। ପରେ କଟକ ବଡ଼ ଡାକ୍ତରଖାନାରେ ପିଲାଟିକୁ ଭର୍ତ୍ତି କରାଯାଇଛି। ପିଲାଟିର ଚିକିତ୍ସା ବାବଦକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଜଟିଳ ରୋଗରେ ପୀଡିତ ସବୁ ମାମଲା ଗୁଡିକୁ ଆମେ ସମାନ ଗୁରୁତ୍ୱ ଦେଉଛୁ। ସରକାରଙ୍କ ପାଖକୁ ଯେଉଁ ଆଶା ଭରସା ନେଇ ଲୋକମାନେ ଆସୁଛନ୍ତି ଆମେ ସେମାନଙ୍କୁ କେବେ ନିରାଶ କରିବୁ ନାହିଁ । ଆଜି ୧୦୦୦ ଲୋକ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ସମସ୍ତଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ପ୍ରକୋଷ୍ଠରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସପ୍ତମ ପାଳି। ଆଜି ସୁଦ୍ଧା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ୩୦ ହଜାରରୁ ୩୫ ହଜାର ଅଭିଯୋଗକାରୀ ସେମାନଙ୍କ ସମସ୍ୟା ନେଇ ଏଠାକୁ ଆସିଛନ୍ତି। ଲୋକଙ୍କୁ ନ୍ୟାୟ ଦେବାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଫଳତା ହାସଲ କରିଛି। ଜୁଲାଇ ପହିଲାରେ ହୋଇଥିବା ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୮୮ ପ୍ରତିଶତ କେସ୍ ସମାଧାନ ହୋଇଛି। ସେହିଭଳି ଜୁଲାଇ ୧୫ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୮୪ ପ୍ରତିଶତ, ଅଗଷ୍ଟ ୫ରେ ହୋଇଥିବା କାର୍ଯ୍ୟକ୍ରମରେ ୮୨ ପ୍ରତିଶତ, ସେପ୍ଟେମ୍ବର ୨୩ରେ ହୋଇଥିବା କାର୍ଯ୍ୟକ୍ରମରେ ୮୦ ପ୍ରତିଶତ, ଅକ୍ଟୋବର ୨୧ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୭୭ ପ୍ରତିଶତ ଏବଂ ଡିସେମ୍ବର ୧୬ ତାରିଖରେ ହୋଇଥିବା କାର୍ଯ୍ୟକ୍ରମରେ ୧୬ ପ୍ରତିଶତ କେସର ସମାଧାନ କରାଯାଇଛି। ବାକି ରହିଥିବା କେସ୍‌ଗୁଡିକ ପ୍ରକ୍ରିୟାଭୁକ୍ତ ଅଛି, ଖୁବଶୀଘ୍ର ଏଗୁିକର ସମାଧାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହ ଓ ଅନ୍ୟ ବିଭାଗ ଗୁଡିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Post Views: 52
Tags: Chief Minister listens to people's grievances: 'Everyone will get justice
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In