ରଣପୁର (ଭିଓଭି): ରାଜ୍ୟରେ ଅଦିନିଆ ଲଗାଣ ବର୍ଷା ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରଣପୁର ବ୍ଲକର ଗଣ୍ଡିବେଢ଼ ଅଞ୍ଚଳର ଦୁଇ ଜଣ ଚାଷୀ ଉଜୁଡା ଫସଲ ପାଇଁ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଆଜି ମଧ୍ୟାହ୍ନରେ ସିପିଆଇ (ଏମ ) ଏକ ପ୍ରତିନିଧି ଦଳ ରଣପୁର ବ୍ଲକ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ବାସୁଦିଆ ଓ ବଳଭଦ୍ରପୁର ଗ୍ରାମ ଗସ୍ତ କରି ଉଭୟ ମୃତକ ଚାଷୀ ପରିବାର ଓ ଗ୍ରାମବାସୀମାନଙ୍କ ସହ ସାକ୍ଷାତ କରି ମୃତ୍ୟୁର କାରଣ ବୁଝିବା ସହ ଉଜୁଡା କ୍ଷେତ ବୁଲି ଦେଖିଥିଲେ। ବାସୁଦିଆ ଗ୍ରାମର ମୃତ ଚାଷୀ ଦେବରାଜ ବାରିକ (୬୧ ବର୍ଷ) ଚାଷ କରିଥିବା ନିଜର ୩ ମାଣ ସହ ଭାଗ ଚାଷ ରେ ୫ମାଣ ମୋଟ ଦୁଇ ଏକର ଜମିର ଧାନ ଫସଲ ର ଅଧିକ ଗଜା ଓ ଗମୁ ହୋଇ ଥିବାର ଜାନୁୟାରୀ ୧ ତାରିଖ ଦିନ ଦେଖି ଘରକୁ ଫେରି ଚିନ୍ତାରେ ସମ୍ପୂର୍ଣ ଭାଙ୍ଗି ପଡିଥିବା କଥା ନିଜ ସ୍ତ୍ରୀ ଓ ପୁଅ ମାନଙ୍କୁ ଦୁଃଖ ରେ କହି କହି ଟଳିପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରଣପୁର ମେଡିକାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଭଲଭଦ୍ରପୁର ଗ୍ରାମର ଚାଷୀ ଭଗବାନ ପ୍ରଧାନ (୬୪ ବର୍ଷ) ଚାଷ କରିଥିବା ତିନି ଏକର ଜମିର ଦେଢ଼ ଏକର ଜମିର ଧାନ ଫସଲରେ ଏବେ ପାଣି ମାଡି ରହିଥିଲା ବେଳେ ଦେଢ଼ ମାଣ ଧାନ କଟା ହୋଇ ତଳେ ପଡି ଗଜା ହୋଇଯାଇଛି। ଗତ ୧ ଜାନୁୟାରୀ ଦିନ ସେ ବିଲକୁ ଯାଇ ଦେଖି ସନ୍ଧ୍ୟାରେ ଘରକୁ ଫେରିଥିଲେ। ଫସଲର କ୍ଷତି ସମ୍ପର୍କରେ ନିଜ ସ୍ତ୍ରୀ ସୁମା ମଣି ପ୍ରଧାନଙ୍କୁ କହୁଥିଲା ବେଳେ ହଠାତ ସେଠାରେ ଟଳି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ରଣପୁର ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେଫର୍ କରିଥିଲେ। ଚିକିତ୍ସିତ ଚାଲିଥିବା ସମୟରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

ପରିବାର ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଋଣ ଭାର ଶୁଝିବା ଓ ବର୍ଷକର ପରିବାର ଚଳଣି କଥା ଭାବି ଦୁହେଁ ଭାରାକ୍ରାନ୍ତ ହିଁ ମୃତ୍ୟୁବରଣ କରିଛନ୍ତି। ସରକାର ଉଭୟ ମୃତକ ଚାଷୀ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ କୃଷି ଋଣ ସମ୍ପୂର୍ଣ ଛାଡ଼ କରିବା ପାଇଁ ପାର୍ଟି ତରଫରୁ ଦାବି କରାଯାଇଛି। ରଣପୁର ଅଞ୍ଚଳରେ ଚାଷୀ ବର୍ଷା ଭୟରେ ଏବଂ ବର୍ଷାରୁ ଉଦ୍ଧାର କରିଥିବା କଞ୍ଚା ଓ ଓଦା ଅମଳ ଧାନକୁ ସରକାର ଏପର୍ଯ୍ୟନ୍ତ ମଣ୍ଡି ଖୋଲି କିଣି ନ ଥିବାରୁ ବାଧ୍ୟ ହୋଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ୩୧ ସହ ଟଙ୍କାରେ ଧାନକୁ ୧୯ ସହ ଟଙ୍କାରେ ଖୁଚୁରା ବେପାରିଙ୍କୁ ଅଭାବି ବିକ୍ରି କରି ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି। ବୋଝ ଉପରେ ଲଳିତା ବିଡା ଭଳି ଚାଷୀଙ୍କର ଦୁଃଖ ପରିସ୍ଥିତିରେ ସରକାର, ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛନ୍ତି। ଧାନ ମଣ୍ଡି ଖୋଲିବା ପ୍ରତି ପ୍ରଶାସନର ବ୍ୟଗ୍ରତା ନାହିଁ। ସରକାର, ପ୍ରଶାସନ ଓ ମିଲ୍ ମାଲିକଙ୍କ ଆସାଧୁ ମେଣ୍ଟ ଚାଷୀ ପାଇଁ ବିପଦ ସାଜିଛି। ଚାଷୀମୃତ୍ୟୁକୁ ଅନ୍ୟ ରୂପ ଦେବା ପାଇଁ ହୀନ ଉଦ୍ୟମ ଚାଲିଥିବା ଅଭିଯୋଗ କରାଯାଇଛି.। ସରକାର ତୁରନ୍ତ ମଣ୍ଡି ଖୋଲି ବିନା କଟନୀଛଟଣୀରେ ଚାଷୀଠାରୁ ଧାନ କିଣି, ଚାଷୀକୁ ଋଣଛାଡ଼ ସହ ବ୍ୟାପକ ଚାଷ ଋଣ ତୁରନ୍ତ ଯୋଗାଇ ଦେବାକୁ ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି। ନଚେତ ପାର୍ଟି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ପାର୍ଟିର ଜିଲ୍ଲା ସମ୍ପାଦକ ତଥା କୃଷକ ସଭାର ଜିଲ୍ଲା ନେତା ହରିଶ୍ଚନ୍ଦ୍ର ମିଶ୍ର, ଶ୍ରମିକ ନେତା ସୁରେଶ ସ୍ଵାଇଁ, କ୍ଷେତ ମୂଲିଆ ନେତା ଦୁଃଶାସନ ଜେନା, ଚାଷୀ ନେତା ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି ମହିଳା ନେତ୍ରୀ ସଂଯୁକ୍ତା ସେଠୀ ଓ କୁଳମଣି ପଲେଇ ପ୍ରମ୍ମୁଖ ଯୋଗ ଦେଇ ମୃତକଙ୍କ ପରିବାରକୁ ସାକ୍ଷାତ କରିଥିଲେ।
