ଭୁବନେଶ୍ବର (ଭିଓଭି): ଭଦ୍ରକ ଜିଲ୍ଲା ରାଣୀତାଲ ନିକଟ ରାହାଞ୍ଜ ଗ୍ରାମର ଇନ୍ଦ୍ରାଣୀ କବି (ବାନାର୍ଜୀ) କ୍ୟାନସର ସହିତ ଲଢି ଶେଷରେ ହାର୍ ମାନିଛନ୍ତି। କତାର୍’ରେ ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ଧରି ବସବାସ କରୁଥିଵା ଇନ୍ଦ୍ରାଣୀ ଗୁରୁତର କ୍ୟାନସର୍ ରୋଗରେ ପୀଡିତ ଥିଲେ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। “ମାର୍ସ କତାର” ନାମକ ଏକ ଗ୍ଲୋବାଲ୍ ଇନସ୍ୟୁରାନ୍ସ ଓ ଷ୍ଟକ୍ ବ୍ରୋକିଙ୍ଗ୍ ଫାର୍ମର ଉପ ସଭାପତି ଥିଵା ଇନ୍ଦ୍ରାଣୀ ଜଣେ ବିଚକ୍ଷଣ ପ୍ରତିଭା ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସ୍ଵାମୀ ବସନ୍ତ କୁମାର କବି, ଦୁଇ ଝିଅ ଶ୍ରୀଗୀତା ଓ ଶ୍ରୀୟାଂଶୀ ଉପସ୍ଥିତ ଥିଲେ। ତାଙ୍କର ପାର୍ଥିବ ଶରୀର ରବିବାର ଦିନ ଭାରତ ଆସିଲେ ପୁରୀ ସ୍ଵର୍ଗଦ୍ଵାରରେ ଦାହ ସଂସ୍କାର କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଅଣ ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ ଘରର ବୋହୂ ହେବାପରେ,ଓଡ଼ିଆ ଘରର ରୀତିନୀତି, ପରମ୍ପରା ସବୁକୁ ସମ୍ମାନ ଦେଇ ଯୌଥ ପରିବାର ଭିତରେ ସମସ୍ତଙ୍କୁ ପ୍ରେମ ଓ ସ୍ନେହର ଡୋରୀରେ ବାନ୍ଧି ରଖିବାରେ ସେ ସଫଳ ହୋଇଥିଲେ। ସେ ଜଣେ ମିଷ୍ଠଭାଷୀ, ମେଳାପି ଓ ପରୋପକାରୀ ମହିଳା ଥିଲେ। ତାଙ୍କର ଅକାଳ ବିୟୋଗରେ ସମଗ୍ର ରାଣୀତାଲ ଓ ରାହଞ୍ଜ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି।
