ଢେଙ୍କାନାଳ (ଭିଓଭି) ପ୍ରତିବର୍ଷ ଭଳି ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ନ୍ଦ୍ର ଶେଖର ଜୀଉଙ୍କ ଗନ୍ଦିଆ ସ୍ଥିତ କପିଳାସ ପୀଠରେ ଆସନ୍ତା ତା୨୬. ୦୨. ୨୦୨୫ ରିଖ ବୁଧବାର ମହାଶିବରାତ୍ରୀ ପାଳନ ନିମନ୍ତେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଏହି ବୈଠକରେ ଅଧ୍ୟକ୍ଷତା କରି, ଜାଗର ଯାତ୍ରାରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ବିଭାଗୀୟ ଅଧିକାରୀ ମାନେ ବିଶେଷ ଗୁରୁତ୍ୱ ଦେବାକୁ କହିଥିଲେ । ଯାତ୍ରୀମାନଙ୍କ ନିରାପତ୍ତା, ଭିଡ଼ ନିୟନ୍ତ୍ରଣ ଏବଂ ପୀଠରେ ସ୍ୱଚ୍ଛତା ପ୍ରତି ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ l ସେହିପରି ଆଇନ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ବିନା ପାସ୍ ରେ କୌଣସି ଯାନବାହନକୁ ପୀଠକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ l ରାଜପୁରୋଧା ଶ୍ରୀ ପଞ୍ଚାନନ ମିଶ୍ରଙ୍କ ଗଣନା କ୍ରମେ ରାତ୍ର ୩ଟା ୫୫ ଠାରୁ ବେଢ଼ା ପୂଜା, ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ରାତ୍ର ୪ଟା ୨୦ ମିନିଟ୍ ମଧ୍ୟେ ଶେଷ ହେବ ବୋଲି ଜଣାଯାଇଛି l ବୈଠକରେ ମନ୍ଦିର ପରିସର ଆଲୋକସଜ୍ଜା, ଯାତ୍ରୀମାନଙ୍କ ନିମନ୍ତେ ଜଳ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଯାନବାହାନ ନିୟନ୍ତ୍ରଣ, ଦୋକାନ ବଜାର ନିମନ୍ତେ ସ୍ଥାନ ନିରୂପଣ, ପୀଠର ପରିଷ୍କାର ପରିଚ୍ଛନ୍ନତା , ସର୍ପାଦି ପ୍ରତି ପ୍ରତିକାର ବ୍ୟବସ୍ଥା, ଆଶୁ ଚ଼ିିକିତ୍ସା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ ଯେ କପିଳାସ ପୀଠରେ ଜାଗର ଯାତ୍ରା ପାଇଁ ଆଖପାଖ ଅଞ୍ଚଳ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏପରିକି ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।
