• About Us
  • Contact Us
Wednesday, February 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନିଯୁକ୍ତି ମେଳାରେ ୯ ବିଭାଗରେ ଯୋଗଦେଲେ ୬,୩୯୦, ସରକାରୀ ଚାକିରି ଜନସେବାର ଏକ ମାଧ୍ୟମ: ମୁଖ୍ୟମନ୍ତ୍ରୀ

by Voice of Victims
February 7, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନିଯୁକ୍ତି ମେଳାରେ ୯ ବିଭାଗରେ ଯୋଗଦେଲେ ୬,୩୯୦, ସରକାରୀ ଚାକିରି ଜନସେବାର ଏକ ମାଧ୍ୟମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଚାକିରି କେବଳ ଏକ ଜୀବନ ଜୀବିକାର ସାଧନ ନୁହେଁ। ଏହା ଜନସେବାର ଏକ ମାଧ୍ୟମ। ସାଧାରଣ ଜନତା, ସରକାର ଏବଂ ସରକାରୀ ବିଧି ବ୍ୟବସ୍ଥାରୁ ଅନେକ ଆଶା ଆକାଂକ୍ଷା କରିଥାନ୍ତି, ଏବଂ ସେ ସବୁକୁ ପୂରଣ କରିବା ପାଇଁ ଆପଣମାନେ ହେଉଛନ୍ତି ସବୁଠାରୁ ବଡ଼ ମାଧ୍ୟମ। କାରଣ, ତୃଣମୂଳ ସ୍ତରରେ ଯୋଜନା ଏବଂ କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ୱ ଆପଣଙ୍କ କାନ୍ଧରେ। ମୁଁ ଆଶା କରୁଛି ଏବଂ ମୋର ପୂରା ବିଶ୍ୱାସ ଯେ ଏହାକୁ ପୂରଣ କରିବାରେ ଆପଣମାନେ ସମସ୍ତେ ସମର୍ଥ ହେବେ। ଶୁକ୍ରବାର ସ୍ଥାନୀୟ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ୯ଟି ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି କାର୍ଯ୍ୟକ୍ରମରେ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨,୮୭୮, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨,୭୬୭, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୩୨, ଅର୍ଥ ବିଭାଗରେ ୧୩୦, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ୧୦୪, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୬୨, ଜଳ ସମ୍ପଦ ବିଭାଗରେ ୫୭ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ୭ ମାସ ମଧ୍ୟରେ ଆମେ ୬ ଥର ନିଯୁକ୍ତି ମେଳାର ଆୟୋଜନ କରି ୨୦ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛୁ। ଆଜି ଏହି ନିଯୁକ୍ତି ମେଳାରେ ୯ଟି ବିଭାଗର ପ୍ରାୟ ୬,୩୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ୭ଟି ନିଯୁକ୍ତି ମେଳାରେ ୨୬ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି। ଆମ ସରକାରର ପ୍ରଥମ ଦୁଇବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ଜୀବନର ଏକ ନୂତନ ଅଧ୍ୟାୟ ଆଜି ଆରମ୍ଭ ହେଉଛି। ଆଜିକାଲି, ବିଶେଷ ଭାବେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ସରକାରୀ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବହୁତ କମ୍‌। ଉଦାହରଣ ସ୍ୱରୂପ, ପ୍ରତିରକ୍ଷାକୁ ମିଶାଇ କେନ୍ଦ୍ର ସରକାରରେ ପ୍ରାୟ ୩୫ ଲକ୍ଷ ଲୋକ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ କର୍ମଚାରୀ ଅଛନ୍ତି। ଖାଲିଥିବା ପଦ ପଦବୀକୁ ସାମିଲ କଲେ ମଧ୍ୟ ସର୍ବାଧିକ ସାଢ଼େ ଚାରି ଲକ୍ଷ ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍‌, ରାଜ୍ୟ ଜନସଂଖ୍ୟାର ଏକ ପ୍ରତିଶତରୁ ବି କମ୍ ଲୋକ, ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥାଆନ୍ତି। ଏହି ଏକ ପ୍ରତିଶତରେ ଆପଣମାନେ ସୁଯୋଗ ପାଇଛନ୍ତି। ଏଥିରେ ଆପଣମାନଙ୍କର କଠିନ ପରିଶ୍ରମ ଏବଂ ପିତାମାତାଙ୍କ ଆଶୀର୍ବାଦ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁ ନବନିଯୁକ୍ତମାନେ ଏକ ଅଲେଖା ସିଲଟରେ ନିଜର କର୍ମମୟ ଜୀବନ ଆରମ୍ଭ କରିଛନ୍ତି। ଅଢ଼େଇ ଦଶନ୍ଧିର ଏକ ଶାସନ ବ୍ୟବସ୍ଥାର ହ୍ୟାଙ୍ଗ୍ ଓଭର୍ ଆପଣମାନଙ୍କ ପାଖରେ ନାହିଁ। ତେଣୁ ଖୋଲା ମନ, ଖୋଲା ହୃଦୟର ସହିତ ଆପଣମାନେ କାମ କରିବାର ସୁଯୋଗ ପାଇଛନ୍ତି। ଏହି ସୁଯୋଗର ସଦୁପଯୋଗ କରି ସମାଜର କଲ୍ୟାଣ ପାଇଁ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବିକାଶ ଧାରାକୁ କ୍ରିୟାଶୀଳ ଏବଂ ଫଳପ୍ରସୁ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ। ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଏ। ଏହି ମୌଳିକ ସତ୍ୟକୁ ଉପଲବ୍ଧି କରି ଆମ ସରକାର ଦାୟିତ୍ୱ ନେବା ପରେ ପରେ ଦୀର୍ଘବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ। ଏହାକୁ ସୁନିଶ୍ଚିତ କରିବା ପାଇଁ ସମୀକ୍ଷା ବୈଠକ କରାଯାଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା, ସମସ୍ତେ ନିଜ ନିଜ ବିଭାଗରେ ଖାଲିଥିବା ପଦକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଓଡ଼ିଶାର ବିକାଶର ଲକ୍ଷ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ କରିବାର ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଆମ ସରକାର ସବୁକ୍ଷେତ୍ର ସହିତ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦେଉଛି। କେବଳ ସରକାରୀ କ୍ଷେତ୍ରରେ ଏହି ପାଞ୍ଚବର୍ଷ ମଧ୍ୟରେ ଦେଢ଼ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି। ନିଯୁକ୍ତି କ୍ଷେତ୍ରରେ ଆମର ଫୋକସ୍ ଯୁବଶକ୍ତିର ଉପଯୋଗ ପାଇଁ ଆମ ପ୍ରତିବଦ୍ଧତାର ପରିଚାୟକ। କେବଳ ସେତିକି ନୁହେଁ, ରାଜ୍ୟରେ ଶିଳ୍ପାୟନର ଏକ ନୂଆ ଯୁଗର ଆରମ୍ଭ କରି ବେସରକାରୀ କ୍ଷେତ୍ରରେ ନିଯୁକ୍ତିର ବିପ୍ଳବ ସୃଷ୍ଟି କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆମର ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ୍‌? ୨୦୨୫ର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଥିରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ଆସିଛି। ଏହାଦ୍ୱାରା ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି। ଏହି ସୁଯୋଗକୁ ଆମ ସରକାର କୌଣସି ପରିସ୍ଥିତିରେ ହାତଛଡ଼ା କରିବ ନାହିଁ। ଏହି ସବୁ ନିବେଶ ପ୍ରସ୍ତାବଗୁଡ଼ିକ ଯେପରି କାର୍ଯ୍ୟକାରୀ ହେବ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ହେବ, ସେଥିପାଇଁ ଆମେ ଦିନରାତି ଏକ୍‌?କରି କାମ କରିବୁ। ମୋର ଦୃଢ଼ ବିଶ୍ୱାସ ଆଗାମୀ ୫ ବର୍ଷ ଆମ ଯୁବଶକ୍ତି ପାଇଁ ବିପୁଳ ସମ୍ଭାବନାର ସମୟ ହେବ। ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ପାଇଁ ସମାଜରେ ଏକ ସ୍ଥାନ ହାସଲ କରିବା ସହ ସମୃଦ୍ଧ ଓଡ଼ିଶା ନିର୍ମାଣ ମିଶନର ଏକ ଅଙ୍ଗ ଭାବେ ଆପଣମାନେ ସରକାରୀ ବ୍ୟବସ୍ଥାରେ ଯୋଗଦେଉଛନ୍ତି। ଆପଣମାନଙ୍କର ନିଷ୍ଠା, ସଚ୍ଚୋଟତା ଏବଂ ସେବା ଭାବ ଜନସାଧାରଣଙ୍କୁ ଜୀବନଧାରଣର ମାନରେ ଉନ୍ନତି ଆଣିବ। ସବୁବେଳେ ମନେରଖିବେ ଯେ ଆମ ସରକାର ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଶାସନ ପ୍ରଶାସନ ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦୁର୍ନୀତି ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏ ଅଭିଯାନ ଜାରି ରହିବ ବୋଲି ପ୍ରକାଶ କରି ଏଥିପାଇଁ ସମସ୍ତେ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶେଷରେ ସେ ସମସ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ନିଜର ଆଗାମୀ କର୍ମମୟ ଜୀବନକୁ ସେବା, ସାଧନା ଓ ତପସ୍ୟା ମାଧ୍ୟମରେ ସଫଳ କରାନ୍ତୁ, ଏହାହିଁ ମୋର ଇଚ୍ଛା। ଆସନ୍ତୁ, ସମସ୍ତେ ମିଳିମିଶି ଏକ ସୁଦୃଢ଼, ସଶକ୍ତ ଓଡ଼ିଶା ଗଠନ କରିବା ଏବଂ ଯେତେବେଳେ ଆଉ ୧୨ ବର୍ଷ ପରେ ଆମ ରାଜ୍ୟ ଏହାର ପ୍ରତିଷ୍ଠାର ଏକ ଶହ ବର୍ଷ ପାଳନ କରିବ, ଆମେ ଏକ ବିକଶିତ ଓ ସମୃଦ୍ଧ ରାଜ୍ୟର ସ୍ୱାଭିମାନୀ ନାଗରିକ ହୋଇଥିବା। ଆଜି ସ୍ୱାସ୍ଥ୍ୟ ବିଭାଗରେ ୨ହଜାର ୭୫୩ ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସହ ୧୨୫ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୮୯୪ ଜଣ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୭୯୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ପରିଷଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦରେ ୭୫ ଜଣ କନିଷ୍ଠ ସହାୟକ-ଏହିପରି ସମୁଦାୟ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଏବଂ ୨୦ ଜଣ ସହାୟକ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଜଳସମ୍ପଦ ବିଭାଗରେ କ୍ଷେତ୍ରରେ ୫୭ଜଣ, ଗୃହ ଓ ନଗର ଉନ୍ନୟନ ବିଭାଗରେ ୬୨ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ଜଣ, ଅର୍ଥ ବିଭାଗ ଅନ୍ତର୍ଭୁକ୍ତ ଲୋକାଲ୍ ଫଣ୍ଡ ଅଡିଟ୍‌ର ୧୩୦ଜଣ, ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୦୪ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩ ଜଣ ସହାୟକ ତାଲିମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ତଥା ସାଧରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟ ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ଅଶ୍ୱତୀ.ଏସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 48
Tags: 390 participated in recruitment fair in 9 departments6
Share198Tweet124Send
Voice of Victims

Voice of Victims

Recent Posts

  • ଭାରତ କିଣିବ ୧୧୪ଟି ରାଫେଲ୍ ବିମାନ, ଏହି ସପ୍ତାହରେ ଚୁକ୍ତିକୁ ମିଳିପାରେ ଅନୁମୋଦନ
  • ପୁଣି ମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା
  • ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍
  • ରାଜ୍ୟରେ ନୂଆ ୨୫୦ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଜରୁରୀକାଳୀନ ଚିକିତ୍ସା ସେବାକୁ କରିବ ଅଧିକ ସୁଦୃଢ଼
  • ବଲାଙ୍ଗିର SDJM କୋର୍ଟରେ ଆଇଟମ ଗାର୍ଲ ନିଶା ମହାରଣା, ଅଶ୍ଳୀଳ ନୃତ୍ୟ ମାମଲାରେ କଲେ ଆତ୍ମ ସମର୍ପଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In