ପୁରୀ (ଭିଓଭି): ପୁରୀ ଜିଲ୍ଲା ‘କୋଣାର୍କ ଡିଗ୍ରୀ ମହିଳା ମହାବିଦ୍ୟାଳୟ’ ଏବଂ ‘କୋଣାର୍କ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ’, ଶାରଡା ପରିସରରେ ଦୀର୍ଘ ଏକ ମାସ ଧରି ଚାଲିଥିବା “ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଏକ ରଙ୍ଗାରଙ୍ଗ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ମୁଖ୍ୟଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଗୋପ ତହସିଲଦାର ରଞ୍ଜନ କୁମାର ପରିଡ଼ା ଯୋଗଦେଇ “ସାଧନାରେ ସଫଳତା ପାଇବାକୁ ହେଲେ ପ୍ରଥମେ ଶାରୀରିକ ଅପେକ୍ଷା ମାନସିକ ଏକାଗ୍ରତା ମଣିଷକୁ ଅଧିକ ଶକ୍ତିଶାଳୀ କରିଥାଏ” ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ ତାଙ୍କର ବକ୍ତବ୍ୟରେ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାରାଣୀ ସ୍ଵାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ, ସ୍ଥାନୀୟ ବନାଖଣ୍ଡି ପଞ୍ଚାୟତ ସରପଞ୍ଚ ପ୍ରଜ୍ଞା ପରମିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘ ଏକ ମାସ ଧରି ଆମ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗିତା ହେଉଥିଲା। ଛାତ୍ରୀମାନେ ନିକଟସ୍ଥ ଗାଆଁକୁ ଗାଆଁ ବୁଲି ନିଶା ନିବାରଣ, ହେଲମେଟ ପିନ୍ଧିବା ଏବଂ ସ୍ଵଚ୍ଛତା ସମ୍ବନ୍ଧୀୟ ଜନ ସଚେତନତା ସୃଷ୍ଟି କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଆମ ପିଲାମାନଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିଛି। ସମୟ ଆସିବ ଏମିତି ହଜାର ହଜାର ପ୍ରତିଭା ସୃଷ୍ଟି ହୋଇ ଦିନେ ଏକ ସୁସ୍ଥ, ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବେ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ପଦ କୁମାର ଛାଟୋଇ ପ୍ରକାଶ କରିଥିଲେ। ସଭାକାର୍ଯ୍ୟ ଶେଷରେ ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅତିଥିମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ମହାବିଦ୍ୟାଳୟର ଉପାଧ୍ୟକ୍ଷା ପ୍ରଣତି ସାହୁ, ଅଧ୍ୟାପକ ମନୋଜ କୁମାର ଜେନା, ଶୈଳଭାନୁ ସାହୁ, ପ୍ରମୋଦ କୁମାର ଦାସ ଏବଂ ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
