ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ଥରେ ହେବ ତଦନ୍ତ ଏ ନେଇ ଗୃହରେ ସୂଚନା ଦେଲେ ଆଇନ ମନ୍ତ୍ରୀ । କହିଲେ,ନବ ଦାସ ହତ୍ୟାକାଣ୍ଡରେ ପରିବାର ଲୋକଙ୍କୁ ନ୍ୟାୟ ଦେଇ ପାରିନଥିଲେ ପୂର୍ବ ସରକାର । ତଦନ୍ତରେ ପରିବାର ଲୋକ ସନ୍ତୁଷ୍ଟ ନଥିଲେ । ତଦନ୍ତ ବାଟବଣା କରିଥିଲେ ପୂର୍ବ ସରକାର । ତଦନ୍ତର ଅନେକ ଦିଗ ବନ୍ଦ ଥିଲା,ଯେଉଁଠି ଯେଉଁଠି ଲିଙ୍କ ଅଛି ତାହା ଖୋଲିବ । କ୍ରାଇମବ୍ରାଞ୍ଚର ଦୁଇ ଅଧିକାରୀ ତାଙ୍କ ଘରକୁ ଯାଇଛନ୍ତି ତେଣୁ ଏହିପରି ଆଗକୁ ଆଗକୁ ତଦନ୍ତ ଚାଲିବ । ନିରପେକ୍ଷ ଓ କ୍ରିୟାଶୀଳତା ଭାବେ ତଦନ୍ତ ହେବ । ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ରାସ୍ତା ଉପରେ ହତ୍ୟା ପଛରେ ଅଛି କିଏ କିଏ ଲିଙ୍କରେ ଅଛନ୍ତି, ତା’ର ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଉପରେ ଆମର ବିଶ୍ୱାସ ଅଛି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।
ସେପଟେ ହତ୍ୟାକାଣ୍ଡର ତଦନ୍ତ ନେଇ ନବ ଦାସଙ୍କ ଘରେ ପହଞ୍ଚିଛି ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ନୂଆ ତଦନ୍ତ ଅଧିକାରୀଙ୍କ ସହ ଜଣେ ମହିଳା ଅଧିକାରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ନେଇ ପତ୍ନୀ ମିନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ ପାଇଁ ଏହି ଟିମ୍ ନବ ଦାସଙ୍କ ଘରେ ପହଞ୍ଚିଛି । ତେବେ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ନବ ଦାସଙ୍କ ପରିବାର । ଏଥିପାଇଁ ଇମେଲ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆବେଦନ କରିଛନ୍ତି । ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଛନ୍ତି । ଏପଟେ କ୍ରାଇମବ୍ରାଞ୍ଚ ପୁଣିଥରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
