ଓଡ଼ଗାଁ ୭/୪ (ଆଦର୍ଶ କୁମାର ପଟ୍ଟନାୟକ ) ମୋବାଇଲର ଆତ୍ମା ନଥିବାରୁ ସେ ଆତ୍ମୀୟ ହୋଇପାରିବ ନାହିଁ ବରଂ ସହପାଠୀ ଓ ପରିବାର ସଦସ୍ୟଙ୍କ ସହିତ ଆତ୍ମୀୟତା ବୃଦ୍ଧି କରିବା ସହିତ ଦିନରେ ଅନ୍ତତଃ ଦିନରେ ୨ଘଣ୍ଟା ମୋବାଇଲକୁ ଛାଡ଼ି ଆତ୍ମୀୟ ସ୍ୱଜନ ସହିତ ସମୟ ବିତାଇବାକୁ ମୁଖ୍ୟଅତିଥି ପୁରୀ ଏମପି ଡ. ସମ୍ବିତ ପାତ୍ର ସୋମବାର ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଇ ସମଵେତ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିପ୍ରିୟା ଦେଇ , ବିଜୟ କୁମାର ପ୍ରଧାନ ଏବଂ ପରିଚାଳନା କମିଟି ସଭାପତି ବରେନ୍ଦ୍ର କୁମାର ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ସଭା ପ୍ରାରମ୍ଭରେ ମାତ୍ର 8 ମିନିଟ ରେ ହନୁମାନ ଚାଳିଶାର ତାଳେ ତାଳେ ଶ୍ରୀକାନ୍ତ ଦାସଙ୍କ ନିର୍ଦ୍ଧେଶନାରେ ମଞ୍ଚ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ସହିତ ପରମ ଭକ୍ତ ହନୁମାନଙ୍କ ରଙ୍ଗୀନ ଚିତ୍ର ଅଙ୍କନ କରିଥିବା ମାମୁନି ପାଟ ମାଝୀ ଓ ମୋନାଲିସା ମହାପାତ୍ରଙ୍କୁ ମୁଖ୍ୟ ଅତିଥି ଡ. ପାତ୍ର ସମ୍ବର୍ଦ୍ଧିତ କରିଥିଲେ | ଏହା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
