• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଖୁବ ଶିଘ୍ର ବ୍ରହ୍ମପୁରରେ ହେବ ଅଭିଯୋଗ ଶୁଣାଣୀ, ସ୍କୁଲ ଶତବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

by Voice of Victims
April 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଖୁବ ଶିଘ୍ର ବ୍ରହ୍ମପୁରରେ ହେବ ଅଭିଯୋଗ ଶୁଣାଣୀ, ସ୍କୁଲ ଶତବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବ୍ରହ୍ମପୁର: ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ବର୍ଗତ ଭଗବାନ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବିଦ୍ୟାଳୟ ତାର ଶିକ୍ଷାଦାନର ଯାତ୍ରା ଆରମ୍ଭ କରି ଦୀର୍ଘ ୧୦ ଦଶନ୍ଧୀ ଧରି ସୀମାନ୍ତ ଅଂଚଳରେ ଜ୍ଞାନର ଆଲୋକ ବିକିରଣ କରିଆସୁଛି।

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶିକ୍ଷାଦାନ ବ୍ୟବସ୍ଥା ଗୁରୁ ଶିଷ୍ୟ ପଦ୍ଧତିରେ କେଉଁ ଆବାହମାନ ଯୁଗରୁ ରହିଆସିଛି। ବ୍ରିଟିଶ ସରକାର ଆସିବା ପରେ ଶିକ୍ଷାନୀତି ପ୍ରଚଳିତ ହୋଇଥିଲା। ସେତେବେଳ ଶିକ୍ଷାର ସବୁଠାରୁ ବଡ ଉଦ୍ଦେଶ୍ୟ ଥିଲା, ବ୍ରିଟିଶ ସରକାରଙ୍କ ପାଇଁ କିରାଣୀ ଓ ଅଧିକାରୀ ପ୍ରସ୍ତୁତ କରିବା। ଜ୍ଞାନ ଆହରଣ, ଚରିତ୍ର ଗଠନ ସେହି ଶିକ୍ଷା ପଦ୍ଧତିର ଉଦ୍ଦେଶ୍ୟ ନ ଥିଲା। ଏହି ଶିକ୍ଷା ପଦ୍ଧତି ସ୍ବାଧୀନତା ପରବର୍ତ୍ତୀ ସମୟରେ ବହୁ ବର୍ଷ ଧରି ଚାଲି ଆସିଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦ୍ୟାଳୟର ଉଦ୍ଦେଶ୍ୟ ହେଉଛି ପାଠ ପଢାଇ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢି ସମାଜ ଗଠନର ଗୁରୁ ଦାୟିତ୍ବ ନ୍ୟସ୍ତ କରିବା। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଶାସନଭାର ନେଲା ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ୨୦୨୦ ମସିହାରେ ମୋଦୀଜୀଙ୍କ ଦିଗ୍‌ଦର୍ଶନରେ ନୂତନ ଶିକ୍ଷାନୀତି ଦେଶରେ ପ୍ରଣୟନ ହୋଇଥିଲା । ଦୁର୍ଭାଗ୍ୟର କଥା, ଆମ ରାଜ୍ୟରେ ଏହି ନୂତନ ଶିକ୍ଷା ନୀତିକୁ ୫ ବର୍ଷ ଧରି ଲାଗୁ କରାଯାଇ ନ ଥିଲା। ଆଜି ଆମ ସରକାର ଆସିବା ପରେ, ଏହା ଲାଗୁ କରାଯାଇଛି । ଏହାଦ୍ବାରା ନିଶ୍ଚିତଭାବେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ।

ସେ ପୁଣି କହିଥିଲେ ଯେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍‌-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ଶିଶୁବାଟିକା ଆରମ୍ଭ କରିଛୁ। ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡିଶାରେ ମଧ୍ୟ ନିପୁଣ ଓଡିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସ୍ବାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି। ନିପୁଣ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଆମର ଛାତ୍ରଛାତ୍ରୀମାନେ ନିଶ୍ଚିତଭାବେ ମୌଳିକ ଜ୍ଞାନ ହାସଲ କରି ଉଚ୍ଚଶିକ୍ଷାରେ ସଫଳ ହେବେ।

ସେ ଆହୁରି କହିଥିଲେ ପୂର୍ବ ସରକାରଙ୍କ 5T ସ୍କୁଲ ଏକ ପ୍ରହସନ ଥିଲା। ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ସଂଯୋଗ କରି ଡିଜିଟାଲ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା। ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉତ୍ତମ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।

ଆମ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ। ଉତ୍ତମ ଭିତ୍ତିଭୂମି ସହିତ ଗୁଣି ଓ ତାଲିମପ୍ରାପ୍ତ ଶିକ୍ଷକ ପଞ୍ଚାୟତ ସ୍ତରରେ ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରିବେ।

ଆଦିବାସୀ ପିଲାଙ୍କ ଭିତରେ ଡ୍ରପଆଉଟ ହାର କମାଇବା ପାଇଁ ମାଧୋସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି। ଚଳିତବର୍ଷ ବଜେଟରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ ୩୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପିଲାଙ୍କୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ପୁଷ୍ଟିକର ଖାଦ୍ୟ ମଧ୍ୟାହ୍ନ ଭୋଜନରେ ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ଏହିସବୁ ପଦକ୍ଷେପ ଗୁଡିକ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବ ସେ କହିଥିଲେ।

ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବୀ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟରେ ସାମିଲ କରାଯିବ। ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଏକ ଡି.ପି.ଆର ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସ୍କୁଲ ପକ୍ଷରୁ କରାଯାଇଥିବା ସମସ୍ତ ଦାବୀଗୁଡିକ ନିଶ୍ଚିତଭାବେ ପୂରଣ କରାଯିବ। ଏଥିପାଇଁ ଯାହା ଅର୍ଥ ଆବଶ୍ୟକ, ଆମ ସରକାର ନିଶ୍ଚିତ ଭାବେ ଯୋଗାଇଦେବେ।

ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ନିର୍ବାଚନ ପୂର୍ବରୁ ଯେଉଁ କଥା ଦେଇଥିଲେ, କଥା ରଖି ସବୁ କାମ କରିଛନ୍ତି। ଚାଷୀ, ମହିଳା, ଯୁବବର୍ଗ, ଗରୀବ – ସମସ୍ତଙ୍କ ପାଇଁ ଆମେ କାମ କରୁଛୁ । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ।

ଗଞ୍ଜାମ ଜିଲ୍ଲାର ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଞ୍ଚଳବାସୀଙ୍କ ଦାବୀକୁ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଗାମୀ ଦିନରେ ଏ ଅଂଚଳର କିପରି ବିକାଶ ହୋଇପାରିବ, ସେଥିପ୍ରତି ଆମେ ସ୍ବତନ୍ତ୍ର ଦୃଷ୍ଟି ଦେବୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁରକୁ ଆସିବ, ଆପଣ ମାନଙ୍କ ଦାବୀ ଓ ସମସ୍ୟା ଶୁଣିବା ପାଇଁ ବ୍ରହ୍ମପୁର କୁ ଆସିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍କୁଲର ୪ ଜଣ ବର୍ଷୀୟାନ ପୂରାତନ ଛାତ୍ର ଏବଂ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପରିବାର ସଦସ୍ୟଙ୍କୁ ମଞ୍ଚକୁ ଡାକି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲା ଓ ରାଜ୍ୟସ୍ତରରେ କୃତୀତ୍ବ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରା ଏବଂ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଥିଲେ। ଖଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ, ସାମନ୍ତିଆପଲ୍ଲୀ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସ୍କୁଲର ପୁରାତନ ଛାତ୍ର ଶ୍ରୀ ରାଧାକୃଷ୍ଣ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ
  • ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ, ପୁଣିଥରେ ହେବ ମତଦାନ
  • କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ
  • ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ଦେବେ ୧୦ ହଜାର ଜରିମାନା!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In