ନୂଆଦିଲ୍ଲୀ: ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବା ଏକ ବ୍ୟବସ୍ଥାପକ ବିଫଳତା ବୋଲି ସୁପ୍ରିମକୋର୍ଟ ମତପ୍ରକାଶ କରିବା ସହିତ ଜୀବନ ହାରିବା ରୋକିବାକୁ ୧୫ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଦେଶର ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟରରେ ଲାଗୁ ହେବ । ସବୁ ଶିକ୍ଷାନୁଷ୍ଠାନରେ ମାନସିକ ସ୍ବାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟାମକ ତଦାରଖକୁ ବାଧ୍ୟତାମୂଳକ କରାଯାଇଛି ।
ଗାଇଡଲାଇନର କାର୍ଯ୍ୟକାରିତା ସଂପର୍କିତ ଅନୁପାଳନ ରିପୋର୍ଟ ୯୦ ଦିନ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ରୋକିବାକୁ ସୁପ୍ରିମକୋର୍ଟଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶନାମା । ଦେଶର ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟରରେ ହେବ ଲାଗୁ । ମାନସିକ ସ୍ବାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟାମକ ତଦାରଖବାଧ୍ୟତାମୂଳକ । ୯୦ ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର।

ଦେଶରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବା ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବାକୁ ରୋକିବା, ସୁରକ୍ଷା ଓ ମାନସିକ ସମସ୍ୟାର ମୁକାବିଲା ପାଇଁ ୧୫ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ ବିଚାରପତି ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗାଇଡଲାଇନ ଜାରି କରିଛନ୍ତି ।
ଏହା ଦେଶର ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ଆଦିରେ ଲାଗୁ ହେବ । ମାନସିକ ଅବସାଦ, ପାଠପଢ଼ାର ବୋଝ, ପରୀକ୍ଷା ଚାପ ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଜୀବନ ହାରିବା ସୁପ୍ରିମକୋର୍ଟ କହିଛନ୍ତି । ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନରେ ମାନସିକ ସ୍ବାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟାମକ ତଦାରଖକୁ ବାଧ୍ୟତାମୂଳକ କରାଯାଇଛି ।
ମାନସିକ ସ୍ୱାସ୍ଥ୍ୟ ନୀତି : ସବୁ ଶିକ୍ଷାନୁଷ୍ଠାନକୁ ଏକୀକୃତ ମାନସିକ ସ୍ବାସ୍ଥ୍ୟ ନୀତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୀତିର ପ୍ରତିବର୍ଷ ସମୀକ୍ଷା କରାଯିବ । ଅନୁଷ୍ଠାନରେ ୱେବସାଇଟ ଓ ନୋଟିସ ବୋର୍ଡରେ ଏହା ପ୍ରକାଶ ପାଇବ । କାଉନସେଲର ନିଯୁକ୍ତି: ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନୁଷ୍ଠାନଗୁଡ଼ିକୁ ଅତି କମରେ ଜଣେ ଯୋଗ୍ୟ କାଉନସେଲର, ମନୋବିଜ୍ଞାନୀ କିମ୍ବା ସାମାଜିକ କର୍ମୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଂପୃକ୍ତ କାଉନସେଲର ଶିଶୁ ଓ କିଶୋର ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିବେ। ନିରାପଦ ପରିବେଶ: ଆବାସିକ ଅନୁଷ୍ଠାନଗୁଡ଼ିକୁ ଟାମ୍ପର-ପ୍ରୁଫ ସିଲିଂ ଫ୍ୟାନ, ଅନ୍ୟ ନିରାପତ୍ତା ଉପକରଣ ସ୍ଥାପନ କରିବାକୁ କୁହାଯାଇଛି । ଛାତ, ବାଲକୋନି ଆଦିରେ ପ୍ରବେଶ ସୀମିତ କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟାୟ ଆଚରଣ ରୋକିବା: ଶିକ୍ଷାନୁଷ୍ଠାନଗୁଡ଼ିକୁ ଯୌନ ନିର୍ଯାତନା, ରାଗିଂ, ଉତ୍ପୀଡ଼ନ ଏବଂ ଜାତି, ଲିଙ୍ଗ, ଧର୍ମ କିମ୍ବା ଯୌନପ୍ରବୃତ୍ତି ଆଧାରରେ ବିଭେଦ ରୋକିବା ପାଇଁ ଗୋପନୀୟ ଓ ସହଜଲଭ୍ୟ ଅଭିଯୋଗ ପଦ୍ଧତି ଗ୍ରହଣ କରିବାକୁ କୁହାଯାଇଛି। ଅଭିଯୋଗକାରୀ ବା ସୂଚନାଦାତାଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟ ପାଇଁ ଶୂନ୍ୟ ସହନଶୀଳତା ନୀତି ପାଳନ କରାଯିବ ।
କୋଚିଂ ସେଣ୍ଟର ପାଇଁ ନିୟମ: ଜୟପୁର, କୋଟା, ଚେନ୍ନାଇ, ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ବାଇ ଆଦି କୋଚିଂ ହବଗୁଡ଼ିକୁ ଉନ୍ନତ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ନିବାରଣ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦୁଇ ମାସ ମଧ୍ୟରେ ଘରୋଇ କୋଚିଂ ସେଣ୍ଟର ଗୁଡ଼ିକ ପାଇଁ ଛାତ୍ର ସୁରକ୍ଷା ନିୟମ ଓ ଅଭିଯୋଗ ନିରାକରଣ ପଦ୍ଧତି ସୁନିଶ୍ଚିତ କରିବାକୁ କୁହାଯାଇଛି ।

ପରୀକ୍ଷା ଚାପ ହ୍ରାସ: ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନ ଆଧାରରେ ବ୍ୟାଚ ବିଭାଜନ, ସର୍ବସାଧାରଣରେ ଅପମାନ କିମ୍ବା ଅନୁପଯୁକ୍ତ ଶିକ୍ଷାଗତ ଲକ୍ଷ୍ୟ ନିର୍ଦ୍ଧାରଣ ନ କରିବାକୁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନରେ ଉଲ୍ଲେଖ ରହିଛି ।
ସହାୟତା ଓ ସଚେତନତା: ସବୁ ଅନୁଷ୍ଠାନ ପରିସରରେ ଟେଲି-MANAS ସମେତ ଜୀବନହାରିବା ନିବାରଣ ହେଲପଲାଇନ ନମ୍ବର ସ୍ପଷ୍ଟ ଭାବେ ପ୍ରଦର୍ଶନ କରିବାକୁ କୁହାଯାଇଛି । ଏଥିସହ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀଙ୍କୁ ବର୍ଷକୁ ଅତି କମରେ ଦୁଇଥର ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ।
ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ମାନସିକ ସ୍ୱାସ୍ଥ୍ୟକୁ ଜୀବନ ଅଧିକାରର ଅଂଶ ଭାବେ ବିବେଚନା କରିଛନ୍ତି । ୨୦୨୨ ମସିହାରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ -ଏନସିଆରବି ରିପୋର୍ଟ ଅନୁଯାୟୀ, ଦେଶରେ ୧୩,୦୪୪ ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିଲେ ।
ସେଥିମଧ୍ୟରୁ ୨,୨୪୮ ମାମଲା ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବିଫଳତା ସହ ଜଡ଼ିତ । ଏହା ଏକ ଗୁରୁତର ସମସ୍ୟା ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି । ୧୫ ସୂତ୍ରୀ ଗାଇଡଲାଇନର କାର୍ଯ୍ୟକାରିତା ଓ ନିରୀକ୍ଷଣ ବ୍ୟବସ୍ଥା ସଂପର୍କିତ ଅନୁପାଳନ ରିପୋର୍ଟ ୯୦ ଦିନ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
