ଭୁବନେଶ୍ୱର : ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ଆଜି ମହାମାୟାଙ୍କ ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ଜୟ । ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ମାଆଙ୍କୁ ଦର୍ଶନ ପାଇଁ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଗହଳି ଚହଳି । ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି । ଆଜି ମଣ୍ଡପ ମାନଙ୍କରେ ସିନ୍ଦୂର ଖେଳ ପରମ୍ପରା ରହିଛି । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମାଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ ।

ପୁରାଣରେ ବର୍ଣ୍ଣିତ ଅଛି ଯେ, ମିହଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେବେଳେ ତ୍ରାହି ତ୍ରାହି ଡାକିଲେ ଏବଂ ପୃଥିବୀ ଭୟରେ ଥରହର ହେଉଥିଲା ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆର୍ବିଭୂତା ହୋଇଥିଲେ ମା’ ଦୁର୍ଗତିନାଶିନୀ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ । ଶେଷରେ ଦେବୀ ସିଂହବାହିନୀ ମହିଷାସୁର ସହ ଯୁଦ୍ଧ କରିଥିଲେ । ଦେବୀ ଶୂଳଦ୍ବାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଡଦ୍ବାରା ଶିରଚ୍ଛେଦ କଲେ । ପାପୀ ମହିଷାସୁରକୁ ବଦ୍ଧ କରି ବ୍ରାହ୍ମଣ୍ଡରେ ଶାନ୍ତି ପ୍ରତିଷ୍ଠା କରିଥିଲେ ।

