ସମଗ୍ର ଜିଲ୍ଲା ତଥା ଉତ୍କଳୀୟ ପରମ୍ପରାର ପ୍ରାୟ ୫ଶହ ବର୍ଷ ତଳୁ ରେମୁଣା ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଭାବେ ବିବେଚିତ ହୋଇଆସୁଛି । ଯେଉଁ ମହାମନିଷୀଙ୍କ ପାଇଁ ରେମୁଣା କେବଳ ଉତ୍କଳରେ ନୁହେଁ ସମଗ୍ର ବିଶ୍ଵରେ ପରିଚିତ ହୋଇଛି ସେମାନଙ୍କୁ ଆଧ୍ୟାତ୍ମିକ ଜଗତର ଉଜ୍ଜ୍ଵଳତମ ଜ୍ୟୋତିଷ ଭାବେ ବର୍ଣ୍ଣନା କଲେ ତାହା ମଧ୍ୟ କମ୍ ହେବ । ବିଶ୍ବପ୍ରସିଦ୍ଧ ଟୀକାକାର ଶ୍ରୀଧର ସ୍ୱାମୀ, ଗୋବିନ୍ଦ ଭାଷ୍ୟମ୍ର ବ୍ୟାଖାକାର ଶ୍ରୀଲ ବଳଦେବ ବିଦ୍ୟାଭୂଷଣଙ୍କ ଭଳି ଯୋଗଜନ୍ମାଙ୍କୁ ଜନ୍ମ ଦେଇ ଏହି ମାଟି ଧନ୍ୟ ହୋଇଛି । ରସିଜାନନ୍ଦ ମହାପ୍ରଭୁ, ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀ ଗୋସ୍ବାମୀ ମହାରାଜଙ୍କ ଭଳି ମହାମନିଷୀଙ୍କ ମହାପ୍ରୟାଣ କ୍ଷେତ୍ର ପାଲଟିଛି ରେମୁଣା । ଏହି ମାଟି ଶ୍ରୀଚୈତନ୍ୟଙ୍କ ଭଳି ଯୁଗ ପ୍ରବର୍ତ୍ତକଙ୍କ ପଦରଜରେ ପବିତ୍ର ହୋଇଛି । ବନବାସକାଳରେ ଜଳକଷ୍ଟ ଦୂରପାଇଁ ନିଜର ଧନୁତୀରରେ ମା’ଗଙ୍ଗା (ସପ୍ତଶରା)ଙ୍କୁ ସୃଷ୍ଟିକରି ରେମୁଣାକୁ ପ୍ଳାବିତ କରିଛନ୍ତି ଭଗବାନ ଶ୍ରୀରାମ । ପ୍ରକୃତରେ ରେମୁଣା ହୋଇଛି ଆଧ୍ୟାତ୍ମିକ କ୍ଷେତ୍ରର ରାଜଧାନୀ । ଏହି ଆଧ୍ୟାତ୍ମିକ ରାଜଧାନୀର ମହାରାଜା ହେଉଛନ୍ତି ସ୍ଵୟଂ କ୍ଷୀରଚୋରା ଗୋପୀନାଥ, ଯିଏ ଶ୍ରୀକୃଷ୍ଣଙ୍କର ସାକ୍ଷାତ୍ ସରୂପ । ଯାହାଙ୍କୁ ମଧ୍ୟ ଭଗବାନ ଶ୍ରୀରାମଚନ୍ଦ୍ର ସ୍ଵହସ୍ତରେ ଶରାଗ୍ରରେ ନିର୍ମିତ କରିଥିଲେ । ଏହି ମାଟିକୁ ଗୁପ୍ତବୃନ୍ଦାବନ ଧାମ ଭାବେ ବିବେଚନା କରାଯାଇଥାଏ ।

କାହିଁକି ଏହା ଗୁପ୍ତବୃନ୍ଦାବନ :- ମାଧବେନ୍ଦ୍ରପୁରୀ ଗୋସ୍ବାମୀ ବୃନ୍ଦାବନରେ ଅବସ୍ଥାନ କରୁଥିବା ସମୟରେ ଏକ ଅଦ୍ଭୁତ ଘଟଣା ଘଟିଥିଲା । ଘଟଣାଟିଥିଲା ଏମିତି – ସେହି ସମୟରେ ମୁସଲମାନ ଶାସକ ଦେଶକୁ ଶାସନ କରୁଥିଲେ । ସେହି ଶାସକଙ୍କଦ୍ୱାରା ମୂର୍ତ୍ତି ଭଙ୍ଗା ସେବେଳର ଏକ ସାଧାରଣ ଘଟଣାଥିଲା । ସେହି ଅଞ୍ଚଳବାସୀଙ୍କର ମୁଖ୍ୟ ଦେବତା ଥିଲେ ଗୋପାଳ । ଗୋପାଳଙ୍କ ମୂର୍ତ୍ତିକୁ ସୁରକ୍ଷିତ ରଖିବା ଲାଗି ସେଠାକାର ଲୋକେ ଗାତ ଖୋଳି ମୂର୍ତ୍ତିକୁ ମାଟିତଳେ ପୋତି ଦେଇଥିଲେ; କାରଣ ତାଙ୍କ ଠାକୁରଙ୍କ ଉପରେ କାହାରି ନିଜର ନଲାଗୁ ଏପରି ଭାବନା ରହିଥିଲା । ସେହି ଅଞ୍ଚଳରେ ମାଧବେନ୍ଦ୍ର ପୁରୀଙ୍କ ଅବସ୍ଥାନ କାଳରେ ତାଙ୍କୁ ସେହି ମୂର୍ତ୍ତି ଉଦ୍ଧାର ପାଇଁ ସ୍ଵପ୍ନାଦେଶ ହେଲା । ମାତ୍ର କେଉଁଠାରେ ମୂର୍ତ୍ତି ପୋତା ଯାଇଥିଲା ତାହା ଜାଣିବା କଷ୍ଟସାଧ୍ୟ ଥିବାରୁ ଏଥିପାଇଁ ଏକ ଉପାୟ ମଧ୍ୟ ସୂଚାଇ ଦିଆଯାଇଥିଲା । ତାହା ହେଉଛି ଯେଉଁଠାରେ ସ୍ବତଃପ୍ରବୃତ୍ତଭାରେ ଗାଇଟିଏ ଠିଆହୋଇ କ୍ଷୀରନିଗାଡେ ସେହି ସ୍ଥାନର ମାଟିତଳେ ମୂର୍ତ୍ତି ରହିଛି । ସୂଚନା ମୁତାତକ ସେହିସ୍ଥାନରେ ଖୋଳାଖୋଳିପରେ ମୂର୍ତ୍ତି ଉଦ୍ଧାର ହୋଇଥିଲା । ସେହି ଗୋପାଳଙ୍କ ମୂର୍ତ୍ତିକୁ ଗୋବର୍ଦ୍ଧନ ପର୍ବତ ଉପରେ ସ୍ଥାପନ କରିବାପାଇଁ ଅଭିଷେକ କରାଯିବାର ସ୍ଥିର ହେଲା । ଅଭିଷେକ ପାଇଁ ଜଳ, କ୍ଷୀର ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ମଧ୍ୟ ଯୋଗାଡ଼ କରାଗଲା । ହେଲେ ଏଥିରେ ଗୋପାଳଙ୍କ ଶରୀର ଶୀତଳତା ଲାଭ କଲା ନାହିଁ । ଏମିତି ଦିନେ ପୁଣି ମାଧବେନ୍ଦ୍ରଙ୍କୁ ସ୍ଵପ୍ନାଦେଶ ହୋଇ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଶରୀରରେ ଲାଗି କରାଯାଇଥିବା ମଳୟ ଚନ୍ଦନ ଆଣି ପ୍ରଲେପ ଦେଲେ ଶୀତଳତା ମିଳିବ ବୋଲି ସୂଚନା ମିଳିବାରୁ ମାଧବେନ୍ଦ୍ର ପୁରୀ ବାହାରିଲେ । ଅନେକ ଦିନର ଯାତ୍ରାପରେ ମାଧବେନ୍ଦ୍ର ପୁରୀ ଯିବା ରାସ୍ତାରେ ରେମୁଣାର ଗୋପୀନାଥଙ୍କୁ ଦର୍ଶନ କରଯିବାର ଇଚ୍ଛା ପ୍ରକଟ କଲେ । ପଥ ଶ୍ରମ ସହିତ କ୍ଷୁଧା ଅଧିକ ହେଉଥିଲେବି ମାଧବେନ୍ଦ୍ର କୌଣସି ଠାରେ କାହାକୁ କିଛି ମାଗୁନଥିଲେ । ଗୋପୀନାଥଙ୍କୁ ଦର୍ଶନ କରି ସାରି କ୍ଷୁଧା ଜର୍ଜ୍ଜରିତ ଶରୀରକୁ ନେଇ ନିକଟସ୍ଥ ଚଣ୍ଡି ହାଟ ନିକଟକୁ ଚାଲିଲେ । ସେଠାରେ ଥିବା ବରଗଛ ମୂଳରେ ରାତ୍ରୀଯାପନ ପାଇଁ ସ୍ଥିର କରି ଶୋଇ ପଡିଲେ । ଶୋଇଥିବାବସ୍ଥାରେ ବିଳମ୍ୱିତ ରାତ୍ରୀରେ ତାଙ୍କୁ କେହି ଜଣେ ଡାକୁଥିବାର ଜାଣି ଉଠିପଡିଲେ । ସେ ମାଧବେନ୍ଦୁପୁରୀ ବୋଲି ଜାଣିବାପରେ ଗୋପୀନାଥଙ୍କ ମୂଖ୍ୟ ପୂଜକ ତାଙ୍କୁ ଏକ କ୍ଷୀର ଭୋଗ ଭର୍ତ୍ତି ଭାଣ୍ଡ (ଦାଣ୍ଡି) ବଢ଼ାଇଥିଲେ ଏବଂ ଏହି ଭୋଗ ଭାଣ୍ଡ ଗୋପୀନାଥ ରାତିରେ ନିଜ ପିନ୍ଧା ଲୁଗା ଭିତରେ ଲୁଚାଇ ରଖିଥିଲେ ଏବଂ ତାଙ୍କର ଆଦେଶରେ ସେ ଏଠାକୁ ତାହା ନେଇ କରି ଆସିଥିବା ପୂଜକ ପ୍ରକାଶ କରିବା ପରେ ମାଧବେନ୍ଦ୍ରଙ୍କ ଆଶ୍ଚର୍ଯ୍ୟର ସୀମା ନଥିଲା । ଏଥିପାଇଁ ଯେ ସ୍ଵୟଂ ଗୋପୀନାଥ ଭକ୍ତଙ୍କ ମନଭାବ ଜାଣି ତାଙ୍କ ଲାଗି ଏହି ଭୋଗ ଲୁଚାଇ ରଖିଥିଲେ । ମାତ୍ର ଏହି ଘଟଣା ସକାଳ ହେବା କ୍ଷଣି ପ୍ରଚାରିତ ହେଲେ ଏଠାରେ ଭିଡ ଲାଗିବ ବୋଲି ଭାବି ମାଧବେନ୍ଦ୍ର ସେଠାରୁ ଚାଲି ଯାଇଥିଲେ । କାରଣ ଭକ୍ତ ତା’ର ନିଜର ପ୍ରତିଷ୍ଠା ଚାହିଁ ନଥାଏ । ସେହିଦିନ ଠାରୁ ଗୋପୀନାଥଙ୍କ ନାମ ପୂର୍ବରୁ ‘କ୍ଷୀରଚୋରା’ ଲାଗିଥିଲା ଏବଂ ଠାକୁର ଗୋପୀନାଥରୁ କ୍ଷୀରଚୋରା ଗୋପୀନାଥ ନାମ ଧାରଣ କରିଥିଲେ । କୃଷଙ୍କ ଅବତାରରେ ତାଙ୍କ ନାମରେ ସବୁକିଛି ଚୋରି କରିବାର ଅଭିଯୋଗ ରହିଥିଲା କେବଳ କ୍ଷୀରଚୋରି ବୋଧହୁଏ ବାକି ରହିଯାଇଥିଲା । ଏହା କରି ଭଗବାନ ଦର୍ଶାଇଥିଲେ ନିଜଠାରୁ ଭକ୍ତ ହେଉଛନ୍ତି ଶ୍ରେଷ୍ଠ ।
ତେବେ ରେମୁଣାରୁ ମାଧବେନ୍ଦ୍ର ପୁଣି ପୁରୀ ଅଭିମୁଖେ ଚାଲିଲେ । ଅଠର ନଳା ଠାରେ ପହଞ୍ଚିବା ବେଳକୁ ପୁରୀ ରାଜାଙ୍କୁ ଖବର ମିଳି ସାରିଥାଏ ଯେ ସୁଦୂର ବୃନ୍ଦାବନରୁ ମାଧବେନ୍ଦ୍ର ନାମକ କେହି ଜଣେ ଆସୁଛନ୍ତି ଏଣୁ ତାଙ୍କୁ ଅଠର ନଳାଠାରୁ ସସମ୍ମାନେ ପାଛୋଟି ନେବାକୁ ବ୍ୟବସ୍ଥା କରାଯାଇଥାଏ । ଏହା ଦେଖି ମାଧବେନ୍ଦ୍ର ଆଶ୍ଚର୍ଯ୍ୟାଭିଭୂତ ହୋଇଯାଇଥିଲେ । ଏହାପରେ ରାଜା ଦୁଇଟି ଶଗଡରେ ମଳୟ ଚନ୍ଦନ ଗଦି ସୁରକ୍ଷା କର୍ମୀଙ୍କ ସହ ଗଡ ପାରି କରିଦେବାକୁ ପଠାଇଲେ । ସୁରକ୍ଷା କର୍ମୀଙ୍କ ସହିତ ମାଧବେନ୍ଦ୍ର ବୃନ୍ଦାବନ ଫେରିବା ବାଟରେ ପୁଣି ରେମୁଣା ବାଟ ଦେଇ ଗୋପୀନାଥଙ୍କୁ ଆଉଥରେ ଦର୍ଶନ କରିଯିବାକୁ ମନ ବଳାଇଲେ ଏବଂ ପୁଣି ସେହି ଚଣ୍ଡିହାଟ ନିକଟରେ ପହଞ୍ଚିବା ପରେ ସେଠାରୁ ସୁରକ୍ଷା କର୍ମୀ ଫେରିଯାଇଥିଲେ । ଏଠାରେ ଅବସ୍ଥାନ ସମୟରେ ମାଧବେନ୍ଦ୍ର ପୁରୀଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖାଦେଇଥିଲା ଏବଂ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଲେ । ଏହି ଖବରପାଇ ମାଧବେନ୍ଦ୍ରଙ୍କ ଅନ୍ୟତମ ଶିଷ୍ୟ ଇଶ୍ଵରପୁରୀ ପହଞ୍ଚି ମଳୟ ଚନ୍ଦନ ସହିତ ଗୁରୁଙ୍କୁ ମଧ୍ୟ ନେଇଯିବାକୁ ଚାହିଁଲେ । ଇତିମଧ୍ୟରେ ମାଧବେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ହୋଇପଡିଥିବା ଏବଂ ଆତ୍ମା ତାଙ୍କ ଶରୀର ତ୍ୟାଗ କରିବାକୁ ଥିବା ଜାଣିପାରି ନିଜ ମନ କଥା ଭଗବାନଙ୍କୁ ଜଣାଇଥିଲେ । ଗୋପାଳ ପୁଣି ସ୍ଵପ୍ନରେ ମାଧବେନ୍ଦ୍ରଙ୍କୁ ଆଦେଶ ଦେଲେ ଯେ ଗୋପୀନାଥଙ୍କ ନିକଟରେ ରହି ଚିନ୍ତାର କୌଣସି କାରଣ ନାହିଁ । ସେହିଠାରେ ଗୋପୀନାଥଙ୍କ ଶରୀରରେ ଚନ୍ଦନ ଲାଗି କରାଇଲେ ମଧ୍ୟ ମୋର ଶରୀର ଶୀତଳ ହୋଇଯିବ । ଏହି ପ୍ରକାରେ ବୃନ୍ଦାବନ, ଶ୍ରୀକ୍ଷେତ୍ର ଏବଂ ରେମୁଣା ମଧ୍ୟରେ ଏକ ସଂପର୍କ ଯୋଡି ହୋଇଥିବାରୁ ରେମୁଣାକୁ ଗୁପ୍ତବୃନ୍ଦାବନ ଭାବେ ଅଭିହିତ କରାଯାଇଥାଏ । ଏହାପରେ ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ର ପୁରୀ ଚଣ୍ଡିହାଟ ନିକଟରେ ଦେହତ୍ୟାଗ କରି ସମାଧୀସ୍ଥ ହୋଇଯାଇଥିଲେ । ଭକ୍ତଶ୍ରେଷ୍ଠ ମାଧବେନ୍ଦ୍ରଙ୍କ ସେହି ସମାଧୀସ୍ଥଳ ଆଜିବି ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦ୍ର ହୋଇରହିଛି । ସେହପରି ରସିକାନନ୍ଦ ଦେବ ଗୋସ୍ୱାମୀଙ୍କର ଶରୀର କ୍ଷୀରଚୋରାଙ୍କ ମନ୍ଦିର ପରିସରରେ ହିଁ ବିଲିନ ହୋଇଯାଇଥିଲା । ମନ୍ଦିର ପରିସରରେ ଆଜିବି ତାଙ୍କ ସମାଧି ବିରାଜିତ । ଚଣ୍ଡିହାଟର ରାଣୀ ମା’ ରାମଚଣ୍ଡିଙ୍କର ପଥର ନିର୍ମିତ ମୂର୍ତ୍ତି କଳାପାହାଡ଼ ଆକ୍ରମଣ ସମୟରେ ୫ଟି ଖଣ୍ଡରେ ପରିଣତ ହୋଇଛି । ମାତ୍ର ଶକ୍ତି ବିଖଣ୍ଡିତ ହୋଇନାହିଁ । ଗାର୍ଗି ମୂନିଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମହାଦେବ ଗାର୍ଗେଶ୍ଵର ମହାଦେବ ଭାବେ ଆଜି ସର୍ବଜନ ବିଦିତ । ସେଠାରୁ ଦୀର୍ଘ ବ୍ୟବଧାନରେ ପ୍ରବାହିତ ଗଙ୍ଗାହର ନଦୀକୁ ଭୂତଳ ସଂଯୋଗ ରହିଥିବା ଆଶ୍ଚର୍ଯ୍ୟ ମନେହେଲେବି ଏହାର ସତ୍ୟତା ରହିଛି । ଗାର୍ଗେଶ୍ଵର ମହାଦେବଙ୍କ ଶକ୍ତି କୁଣ୍ଡରେ ଫୁଲ ଓ କ୍ଷୀର ଢ଼ଳାହେଲେ ତାହା ଗଙ୍ଗାହର ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାହାରିବା ସାଧାରଣରେ ଏକ କୌତୁହଳର ବିଷୟ ହୋଇ ରହିଛି ।
