ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ଘାରିଛି ନୋବେଲ ନିଶା । ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ ଶ୍ରେୟ ନେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । କହିଲେ ଭାରତ-ପାକିସ୍ତାନ ସମେତ ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି । ଏଣୁ ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ । ଇତିହାସରେ ମୋ ବ୍ୟତୀତ ଅନ୍ୟ କେହି ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ନୁହନ୍ତି ।

ପରମାଣୁ ଅସ୍ତ୍ର ବ୍ୟବହାର ବିନା ମୁଁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିଛି ବୋଲି ଦାବି ଦୋହରାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ୍ । କହିଛନ୍ତି, ମୋଦିଙ୍କ ପ୍ରତି ମୋର ବହୁତ ସମ୍ମାନ ଓ ଭଲପାଇବା ରହିଛି । ଆମ ମଧ୍ୟରେ ସମ୍ପର୍କ ବହୁତ ଭଲ ।
ସେହିପରି ଶେହବାଜ ସରିଫ ଜଣେ ମହାନ ବ୍ୟକ୍ତି ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ରୁଷ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ମୋତେ ଫୋନ୍ କରି ୨ଟି ଯୁଦ୍ଧ ବିଷୟରେ କହିଥିଲେ । ୧୦ ବର୍ଷ ହେବ ସେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଥିଲେ ବୋଲି କହିଥିଲେ । ମୋ ହସ୍ତକ୍ଷେପ ଯୋଗୁଁ ହିଁ ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପ୍ରାୟ ୮ଟି ଯୁଦ୍ଧ ପରିସ୍ଥିତି ଥମିଛି ବୋଲି ଦାବି ଦୋହରାଇଛନ୍ତି ଟ୍ରମ୍ପ୍ । ଭାରତ-ପାକିସ୍ତାନ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ସେମାନେ ପରସ୍ପର ସହ ଲଢ଼ୁଥିଲେ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ଯୁଦ୍ଧ ଅଟକାଇବା ପାଇଁ କହିଥିଲି ବୋଲି ଟ୍ରମ୍ପ୍ କହିଛନ୍ତି ।
