ପୁରୀ : ପୁରୀରେ ରାଷ୍ଟ୍ରପତି । ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳ ୭ଟା ୪୦ ମିନିଟରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ଭିତରେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡିଥିଲେ ରାଷ୍ଟ୍ରପତି। ଗର୍ଭଗୃହରୁ ବାହାରିବା ପରେ ବାଇଶି ପାହାଚରେ କିଛି ସମୟ ବସିଥିଲେ । ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଆଶୀର୍ବାଦ ନେଇ ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ଶୁଭିଥିଲା ବେଦ ଧ୍ଵନି । ଏହାପରେ ବଡ଼ ଦାଣ୍ଡରେ ଚାଲି ଚାଲି ଯାଇଥିଲେ। ପ୍ରାୟ ୪୫ ମିନିଟ ଧରି ଶ୍ରୀମନ୍ଦିରରେ ରହିଥିଲେ ରାଷ୍ଟ୍ରପତି। ସେବାୟତଙ୍କ ପକ୍ଷରୁ ପଲ୍ଲବ ଉପହାର ଦିଆଯାଇଥିଲା। ମହାପ୍ରଭୁଙ୍କ ରତ୍ନ ସିଂହାସନ ସ୍ଥିତ ଦୁର୍ଲଭ ସୁନାବେଶର ପଟ୍ଟ ଚିତ୍ର ଉପହାର ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ ।
ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ସନ ବନ୍ଦ ରଖାଯାଇଥିଲା । ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ପ୍ରଥମେ ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ ଦ୍ରୌପଦୀ ମୁର୍ମୁ। ସାବତ ନିଯୋଗ ପକ୍ଷରୁ ସେବାୟତମାନେ ରାଷ୍ଟ୍ରପତିଙ୍କ ପିଣ୍ଡଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଗଜପତି ଦିବ୍ୟସିଂହ ଦେବ ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ ।
