ରଣପୁର, ୧୫/୦୩ : ନୟାଗଡ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ରଣପୁର ମଣିନାଗ ପାହାଡ଼ ଶିଖରରେ ଅବସ୍ଥିତ ମା’ ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ସଫଳତାର ସହ ସମାପ୍ତ ହୋଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ୧୫ ତାରିଖ ପବିତ୍ର ମୀନ ସଂକ୍ରାନ୍ତି ଅବସରରେ ପୂର୍ଣ୍ଣାହୁତି ସହ ଶେଷ ପାଇଛି।
ଏହି ଚାରିଦିନିଆ ଧାର୍ମିକ ଆୟୋଜନରେ ପ୍ରତିଦିନ ସୂର୍ଯ୍ୟ ପୂଜା, ପୀଠ ପୂଜା, ଉପଚାର ପୂଜା ଓ ମହାଶକ୍ତି ପୂଜା ସହ ବିଭିନ୍ନ ବେଦୀୟ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଯଜ୍ଞ ବେଦୀରେ ବେଦମନ୍ତ୍ର ଧ୍ୱନି ଓ ଧୂପ ଧୁନାର ସୁଗନ୍ଧରେ ପରିବେଶ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା। ଉପର ମଣିନାଗ ଯଜ୍ଞ କମିଟି, ମଣିନାଗ ସେନା ଓ ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା। ଯଜ୍ଞ ଅବସରରେ ନୟାଗଡ ସହ ଦୂରଦୂରାନ୍ତରୁ ଭକ୍ତ, ଭକ୍ତା, ପରିବ୍ରାଜକ ଓ ମାନସିକଧାରୀମାନେ ଯୋଗଦେଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।
ପାହାଡ଼ ଶିଖରରେ ଅବସ୍ଥିତ ଏହି ପୀଠରେ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଅଞ୍ଚଳରେ ଭକ୍ତି ଓ ଆସ୍ଥାର ପରିବେଶ ସୃଷ୍ଟି କରିଥିବା ବେଳେ ଭକ୍ତମାନଙ୍କ ମନରେ ନୂତନ ଆଧ୍ୟାତ୍ମିକ ଉତ୍ସାହ ଜାଗ୍ରତ କରିଥିବା ଦେଖାଯାଇଛି।
