ବାଲେଶ୍ୱର(ଭିଓଭି)୨୬/୩:- ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଠାରୁ ଆରମ୍ଭ ହୁଏ ମା ବାସନ୍ତୀ ଦେବୀଙ୍କର ନବରାତ୍ର ପୂଜା । ରେମୁଣାର ୧୦ ନମ୍ବର ୱାର୍ଡ଼ ରୁଦ୍ରପୁର ଗାଁରେ ନିଆରା ପରମ୍ପରାରେ ପାଳିତ ହୁଏ ବାସନ୍ତୀ ପୂଜା । ଷଷ୍ଠୀ ଠାରୁ ଆରମ୍ଭ ହୋଇ ଦଶମୀ ପର୍ଯ୍ୟନ୍ତ ମା’ଙ୍କର ପୂଜାକୁ ମହାଆଡ଼ମ୍ବରରେ ପାଳନ କରନ୍ତି ଗ୍ରାମବାସୀ । ଅଷ୍ଟମୀ ଦିନ ସନ୍ଧ୍ୟାରେ ମା’ଙ୍କର ସିଂହବାହିନୀ ଝାଙ୍କି ପୂର୍ବଦ୍ୱାରୀ ମଣ୍ଡପରୁ ଦକ୍ଷିଣ ଦ୍ୱାରୀ ମଣ୍ଡପକୁ ବୁଲିବାକୁ ଯାଆନ୍ତି । ଗାଁର ଝିଅବୋହୂ ହୁଳହୁଳି, ଶଙ୍ଖ ବଜାଇ କୀର୍ତ୍ତନ କରି ନଗର ପରିକ୍ରମା କରନ୍ତି । ପ୍ରାୟତଃ ୧୦୦ ବର୍ଷ ପୂର୍ବରୁ ଏହି ପ୍ରଥା ଚାଲି ଆସୁଛି ।

କଥିତ ଅଛି ମହଲାନଗରରୁ ମା’ଙ୍କର ଏହି ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରୁଥିବା ସମୟରେ ରୁଦ୍ରପୁର ଗ୍ରାମର ପୂର୍ବଦ୍ୱାରୀ ମଣ୍ଡପ ପାଖରେ ଅଟକି ଗଲେ । ସେହି ଦିନ ଠାରୁ ମା’ଙ୍କର ପୂଜା ଖୁବ୍ ଯାକଜମକରେ ପାଳିତ ହୋଇଆସୁଛି । ସମୟ କ୍ରମେ ଦକ୍ଷିଣ ଦ୍ଵାରୀ ମଣ୍ଡପ ପାଖରେ ରହୁଥିବା ଲୋକଙ୍କ ଆଗ୍ରହ ହେତୁ ପୂର୍ବଦ୍ଵାରୀ ମଣ୍ଡପରୁ କଳସ ଆଣି ପୂଜାର୍ଚ୍ଚନା କଲେ । ସେହିଦିନ ଠାରୁ ମା ବାସନ୍ତୀ ଦେବୀ ଙ୍କ ର ସିଂହବାହିନୀ ଝାଙ୍କି ପୂର୍ବ ଦ୍ଵାରୀ ମଣ୍ଡପ ପାଖରୁ ଦକ୍ଷିଣ ଦ୍ୱାରୀ ମଣ୍ଡପ ପର୍ଯ୍ୟନ୍ତ ପରିକ୍ରମାରେ ଆସନ୍ତି । ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ବାସନ୍ତୀ ଯୁବ ପରିଷଦ ଆନୁକୂଲ୍ୟରେ ମେଲୋଡ଼ି , ଯାତ୍ରା ଇତ୍ୟାଦି ଆୟୋଜନ କରାଯାଏ । ଏହା ଏକ ନିଆରା ପରମ୍ପରା ।
