ରଣପୁର, ୦୪/୦୪ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଏହି ବର୍ଷର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଧୂମଧାମରେ ପାଳିତ ହୋଇଛି। ନୂତନ ଶିକ୍ଷାବର୍ଷର ଆରମ୍ଭକୁ ଉତ୍ସବମୁଖର ପରିବେଶରେ ସ୍ୱାଗତ କରିବା ପାଇଁ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ୟକ୍ରମ ଆୟୋଜିତ ହୋଇଥିଲା |

ଏହି ଅବସରରେ ନୂତନ ଭାବେ ନାମ ଲେଖାଇବା ପାଇଁ ଆସିଥିବା ଶିଶୁମାନଙ୍କୁ ଫୁଲମାଳା, ଚନ୍ଦନ ଟିକା, ମିଠା ଓ ଚକୋଲେଟ ଦେଇ ସ୍ନେହଭରା ସ୍ୱାଗତ କରାଯାଇଥିଲା। ଏହା ପରେ ଶିଶୁମାନଙ୍କୁ ପୁଷ୍ପ ଓ ଦୀପ ମାଧ୍ୟମରେ ବନ୍ଦାପନା କରାଯାଇଥିଲା | ଶିଶୁମାନଙ୍କ ମୁହଁରେ ଖୁସି ଓ ଉତ୍ସାହ ସ୍ପଷ୍ଟ ଦେଖାଯାଉଥିଲା। ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଅଭିଭାବକଙ୍କୁ ଶିକ୍ଷାର ଗୁରୁତ୍ୱ ଓ ସରକାରୀ ବିଦ୍ୟାଳୟର ବିଭିନ୍ନ ସୁବିଧା ସମ୍ବନ୍ଧରେ ଜଣାଇଥିଲେ |

ଗ୍ରାମବାସୀ ଓ ଅଭିଭାବକମାନଙ୍କ ସକ୍ରିୟ ସହଭାଗିତାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା | ବିଦ୍ୟାଳୟ ପରିବେଶକୁ ରଙ୍ଗିନ ବେଲୁନ, ଫୁଲରେ ସୁଶୋଭିତ କରାଯାଇଥିଲା, ଯାହା ଛୋଟ ଛୋଟ ଶିଶୁମାନଙ୍କୁ ଆକର୍ଷିତ କରିଥିଲା। ଶେଷରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ସମସ୍ତ ନୂତନ ଶିଶୁମାନଙ୍କୁ ପଢ଼ାଶୁଣାରେ ନିୟମିତ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ | ଏବଂ ଏପରି କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି |
