ଭୁବନେଶ୍ୱର : ଏଣିକି ଆପାର୍ଟମେଣ୍ଟ କିଣିଲେ ଆଉ ଡବଲ ଟିକସ ଦେବାକୁ ପଡ଼ିବ ନାହିଁ । ଘର ଖଣ୍ଡେ କିଣିଲେ ଡବଲ ଟିକସରୁ ମୁକ୍ତି ମିଳିବ । ଗତକାଲି ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କିତ ବଡ଼ ନିଷ୍ପତ୍ତି ପରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ନ ହେବାରୁ ରାଜସ୍ବ ହରାଉଥିଲେ ସରକାର । କ୍ୟାବିନେଟ ନିଷ୍ପତ୍ତି ଫଳରେ ରାଜ୍ୟ ସରକାର ଅଧିକ ରାଜସ୍ବ ପାଇବେ । ପୂର୍ବରୁ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବେଳେ ଦୁଇଥର ଷ୍ଟାମ୍ପ ଡ୍ୟୁଟି ଆକାରରେ ଟିକସ ନିଆଯାଉଥିଲା । ୫ ଲକ୍ଷ ପର୍ଯ୍ୟନ୍ତ ୩ ପ୍ରତିଶତ, ୧୦ ଲକ୍ଷ ପର୍ଯ୍ୟନ୍ତ ୪ ପ୍ରତିଶତ, ୧୫ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ ଟିକସ ଦେବାକୁ ପଡୁଥିଲା ।
ଏବେ ୩ଟି ଟିକସ ସ୍ଲାବ ବଦଳରେ ଗୋଟିଏ ୫ ପ୍ରତିଶତ ଟିକସ ରହିଛି । ସେହିପରି ଆପାର୍ଟମେଣ୍ଟ ନିର୍ମାଣ ବେଳେ ଗୋଟିଏ ଟିକସ ଦେବାକୁ ପଡୁଥିଲା। ଏହି ଦୁଇଟି ଟ୍ୟାକ୍ସ ଉଚ୍ଛେଦ କରି ଏବେ ଗୋଟିଏ ଟିକସ କରିଛନ୍ତି ରାଜ୍ୟ ସରକାର। ଆପାର୍ଟମେଣ୍ଟ ତିଆରି ପରେ ବଳକା କମନ ସ୍ପେସ ପାଇଁ ସାଙ୍କେତିକ ଭାବେ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନତକୁ ନେଇ ଦୀର୍ଘ ସାତ ଆଠ ବର୍ଷ ହେବ ସମ୍ପୂର୍ଣ୍ଣ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
ଏହାକୁ ନେଇ ଅନେକ ମାମଲା ହାଇକୋର୍ଟରେ ଦାଏର ହୋଇଥିଲା। ହାଇକୋର୍ଟ ମଧ୍ୟ ଅନେକ ନିର୍ଦ୍ଦେଶନାମା ଦେଇଛନ୍ତି । ପାଖାପାଖି ୨୫ ହଜାର ଲୋକ ଜୀବନର ସମ୍ପୂର୍ଣ୍ଣ ଆୟ ବ୍ୟବହାର କରି ପ୍ଲାଟ ଖଣ୍ଡେ କିମ୍ବା ଘରେ ଖଣ୍ଡେ କିଣିଥିଲେ। କିନ୍ତୁ ପଞ୍ଜିକରଣ ହୋଇ ପାରିନଥିବାରୁ ସେମାନେ ବହୁ ଅସୁବିଧାରେ ଥିଲେ। ସେହଭଳି ବିଲଡରମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏବେ କ୍ୟାବିନେଟ୍ ନିଷ୍ପତ୍ତି ସେମାନଙ୍କ ପାଇଁ ଖୁସିଖବର ଆଣି ଦେଇଛି।
