ଭୁବନେଶ୍ୱର : ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଆଜି ସବୁ କ୍ଷେତ୍ରରେ ଆଗରେ ଅଛନ୍ତି ମହିଳା । ସବୁଥିରେ ପାରଙ୍ଗମ । ମହିଳା ସଶକ୍ତିକରଣକୁ ନେଇ ୧୦ଟି ବଡ଼ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ । ବରଂ ପରିବାର ଓ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର ହିଁ ପ୍ରକୃତ ସଶକ୍ତିକରଣ ।
ଆଧୁନିକ ଭାରତର ନାରୀମାନେ ଘର ଚଳାଇବା ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଉଡ଼ାଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ଦେଶର ପ୍ରାୟ ୫୩% ଶିକ୍ଷୟତ୍ରୀ ସ୍କୁଲ ଶିକ୍ଷାରେ ଏବଂ ୪୩% ଅଧ୍ୟାପିକା ଉଚ୍ଚ ଶିକ୍ଷାରେ ନିୟୋଜିତ ହୋଇ ଦେଶର ଭବିଷ୍ୟତ ଗଠନ କରୁଛନ୍ତି । ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଏବଂ ଓଡ଼ିଶାରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ହେବା ନାରୀଶକ୍ତିର ଗୌରବ ।
୨୦୨୯ ସୁଦ୍ଧା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସରକାର ପ୍ରତିବଦ୍ଧ। ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ‘ସୁଭଦ୍ରା ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ। ‘ମମତା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଉଛି ।
ଗ୍ରାମାଞ୍ଚଳର ମହିଳାମାନଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗ ଓ ଆଧୁନିକ କୃଷି ସହ ଯୋଡ଼ି ସେମାନଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ । ମହିଳାଙ୍କୁ ନ୍ୟାୟ ଦେବା ପାଇଁ ‘ନାରୀ ଅଦାଲତ’ ଏବଂ ‘ୱାନ ଷ୍ଟପ ସେଣ୍ଟର’ ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ମହିଳାମାନେ କେବଳ ଭୋଟର ନୁହନ୍ତି, ବରଂ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନର ପ୍ରମୁଖ ସହଭାଗୀ ।
