ଗୁରୁବାର ଦିନ ଓଡ଼ିଶା ବିଧାନସଭାର ଏକ ସ୍ୱତନ୍ତ୍ର ଦିନିକିଆ ଅଧିବେଶନରେ ‘ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଅବଦାନ’ ଶୀର୍ଷକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ କ୍ଷେତ୍ରରେ ସାମଗ୍ରିକ ମହିଳା ସଶକ୍ତିକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ସମସ୍ତ ସଦସ୍ୟ ସୁଚିନ୍ତିତ ମତାମତ ସହିତ ଯୋଗଦାନ ଦେବେ।
ଆଜି ବିଧାନସଭାର ଏହି ବିଶେଷ ଦିନିକିଆ ଅଧିବେଶନରେ ‘ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ’ ସମ୍ପର୍କରେ ଉପସ୍ଥାପନା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଆଜିର ଏହି ଅଧିବେଶନ କେବଳ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂକ୍ରାନ୍ତରେ ନୁହେଁ। ଆଜିର ଅଧିବେଶନ ମହିଳା ସଶକ୍ତିକରଣ, ବିଶେଷଭାବେ ରାଜନୈତିକ ସଶକ୍ତିକରଣ ବିଷୟରେ ଆଲୋଚନା ପାଇଁ ଆହୁତ କରାଯାଇଛି। ଆଜି ଆମ ଦେଶ ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଛି। ସମ୍ବିଧାନ ପ୍ରଣିତ ହେବାର ୭୫ ବର୍ଷ ପୁରିଛି, ଦେଶରେ ଅନେକ ପ୍ରଗତି ହୋଇଛି। କିନ୍ତୁ, ଦେଶର ଅଧା ଜନସଂଖ୍ୟା ଆଜି ନିଜକୁ ଠକି ହେଲା ପରି ମନେ କରୁଛନ୍ତି।
ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ କିଛି ଦଶନ୍ଧି ଧରି ସବୁ ରାଜନୈତିକ ଦଳ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା କରୁଛନ୍ତି। କିନ୍ତୁ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ସଂଜ୍ଞା ଅତି ସଙ୍କୁଚିତ। କାରଣ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ଅର୍ଥ ହେଉଛି କେବଳ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳତା।ତେଣୁ, SHG ଗଠନ କରି କିଛି ଟଙ୍କା ଦେଇଦେଲେ ସେମାନେ ଭାବନ୍ତି ଯେ ମହିଳାମାନେ ସଶକ୍ତ ହୋଇଗଲେ । କିନ୍ତୁ, ଏହା ଏକ ଭ୍ରାନ୍ତ ଧାରଣା। ସଶକ୍ତିକରଣର ପ୍ରକୃତ ସଂଜ୍ଞା ହେଉଛି ନିଜେ ନିଜ ପାଇଁ, ପରିବାର ପାଇଁ ଏବଂ ସମାଜ ପାଇଁ ନିଷ୍ପତ୍ତି ନେବାର ଅଧିକାର। ତେଣୁ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ ହେବା ହିଁ ହେଉଛି ପ୍ରକୃତ ଅର୍ଥରେ ମହିଳା ସଶକ୍ତିକରଣ।
ଦେଶ ସ୍ଵାଧୀନ ହେବାର ପ୍ରାୟ ୮୦ ବର୍ଷ ହୋଇ ଗଲାଣି। ଏହି ଆଠ ଦଶକରେ ଆମ ଦେଶର ଝିଅ ଓ ମହିଳାମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହାସଲ କରିସାରିଛନ୍ତି। ସେମାନେ ଘର ଚଳାଇବା ସହିତ ଅଟୋ-ବସ ଚଳାଇବା ଠୁ ଆରମ୍ଭ କରି ଫାଇଟର ପ୍ଳେନ ଉଡାଉଛନ୍ତି। ଆପଣଙ୍କର ମନେଥିବ, ବାଲାକୋଟ ଆକ୍ରମଣ ପରେ ଭରତ-ପାକିସ୍ତାନ ମଧ୍ୟରେ ଯେଉଁ ବିମାନ ଯୁଦ୍ଧ ହୋଇଥିଲା ପାକିସ୍ତାନର ଫାଇଟର ଜେଟ F-୧୬ ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ Indian Air Forceର ଜଣେ ସାହସୀ ଓ ଦକ୍ଷ ରାଡ଼ାର ଇଞ୍ଜିନିୟର।ସେହିପରି ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନାର ଚେହେରା ଥିଲେ କୋଲୋନେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ଏହାହିଁ ହେଉଛି ଆଧୁନିକ ଭାରତର ନାରୀଶକ୍ତି।
