କଟକ : ନାବାଳକଙ୍କୁ ଥାନାରେ ଘଣ୍ଟା ଘଣ୍ଟା ଅଟକ ରଖି ଏବଂ ପଚରାଉଚରା କରିବା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଏମ. ଏସ ରମଣଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଭଦ୍ରକ ଏସପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ମାମଲାର ଶୁଣାଣିବେଳେ ଅଦାଲତ ଜାଣିବାକୁ ପାଇଥିଲେ ଯେ ଜଣେ ନାବାଳକଙ୍କୁ ତଦନ୍ତ ଆଳରେ ଥାନାକୁ ଡକାଯାଇ ଘଣ୍ଟା ଘଣ୍ଟା ଧରି ଅଟକ ରଖାଯାଇଥିଲା।
ତଦନ୍ତକାରୀ ଅଧିକାରୀ ଉକ୍ତ ନାବାଳକଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ତେବେ ଉକ୍ତ ଥାନାରେ ନାବାଳକଙ୍କ ପାଇଁ କୌଣସି ‘ଚାଇଲ୍ଡ-ଫ୍ରେଣ୍ଡଲି’ ବା ଶିଶୁ-ଅନୁକୂଳ ବ୍ୟବସ୍ଥା ନ ଥିବା ଅଭିଯୋଗ ହୋଇଥିଲା। ଅଦାଲତ କହିଛନ୍ତି ଯେ ଆଇନ ଅନୁଯାୟୀ ଜଣେ ନାବାଳକକୁ ସାଧାରଣ ଅପରାଧୀଙ୍କ ଭଳି ବ୍ୟବହାର କରାଯାଇପାରିବ ନାହିଁ । ଭଦ୍ରକ ଏସପିଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହୋଇ ଥାନାରେ ଶିଶୁ-ଅନୁକୂଳ ବ୍ୟବସ୍ଥା ଅଛି କି ନାହିଁ, ତାହା ସ୍ପଷ୍ଟ କରିବାକୁ ନିର୍ଦେଶ ଦିଆଯାଇଛି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ୧୮ମେ କୁ ଧାର୍ଯ୍ୟ କରାଯାଇଛି।
