ଭୁବନେଶ୍ବର: ବିଗତ ଦୁଇ ବର୍ଷ ହେଲା ଓଡ଼ିଶାରେ ବିଜେପି ସରକାର ଅଛି । ଦୁଇ ବର୍ଷରେ ବିଜେପି ସରକାର ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ପାଇଁ ବୋଝ ପାଲଟିଗଲାଣି । ତେଣୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମକୁ ଲଢ଼ିବାକୁ ପଡିବ । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ପଡିବ । ତେଣୁ ଆମକୁ ଏକଜୁଟ ହେବାକୁ ପଡିବ । ଏହି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେପଟେ ନବୀନଙ୍କ ଆହ୍ୱାନର ଜବାବ ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ।
ଓଡିଶା ପାଇଁ ବୋଝ ବିଜେପି ସରକାର
ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ବିଜୁ ଜନତା ଦଳ ହେଉଛି ଓଡ଼ିଶାବାସୀଙ୍କ ପାଇଁ ବିଶ୍ୱାସର ପ୍ରତୀକ । ଆମେ ସର୍ବଦା ଲୋକଙ୍କ ସହିତ ଠିଆ ହୋଇଆସିଛୁ । ୨୪ ବର୍ଷ ଧରି ଓଡ଼ିଶାବାସୀ ଆମକୁ ସେବା କରିବାର ସୁଯୋଗ ଦେଇଛନ୍ତି । ଲୋକଙ୍କ ଏହି ବିଶ୍ୱାସ ଆମକୁ ବାଟ ଦେଖାଇ ଆସୁଛି । ଆମେ ଓଡ଼ିଶାକୁ ବିକାଶ କରିବା ପାଇଁ ସର୍ବୋତ୍ତମ ପ୍ରୟାସ କରିଛୁ । ସଫଳତା ମଧ୍ୟ ହାସଲ କରିଛୁ । ବିଜୁ ଜନତା ଦଳର ପ୍ରତ୍ୟେକ କର୍ମୀ ଆମର ସଫଳତା ଉପରେ ଗର୍ବ କରିବା ଉଚିତ । ଆଜି ଆମେ ବିରୋଧୀରେ ଅଛୁ । କିନ୍ତୁ ଲୋକଙ୍କ ଭଲ ପାଇବା ଆମ ପ୍ରତି ଅତୁଟ ରହିଛି । ଲୋକଙ୍କ ଏହି ଆଶୀର୍ବାଦ ଏବଂ ଭଲ ପାଇବା ଆମର ସବୁଠାରୁ ବଡ଼ ଶକ୍ତି । ଆମର ସବୁଠାରୁ ବଡ଼ ସମ୍ପତ୍ତି । ଏହାକୁ ନେଇ ଆମେ ଆଗକୁ ବଢ଼ିବା ।”
ନବୀନ ଆହୁରି ମଧ୍ୟ କହିଛନ୍ତି, “ମୁଁ ସର୍ବଦା ଅନୁଶାସନ ଉପରେ ବହୁତ ଗୁରୁତ୍ୱ ଦେଇଆସିଛି । ତେଣୁ ଦଳରେ ଅନୁଶାସନ କେବେବି ବରଦାସ୍ତ କରାଯାଇପାରିବ ନାହିଁ । ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନ ପାଖେଇ ଆସୁଛି । ସମସ୍ତେ ମିଶି ସଂଗଠନକୁ ଆହୁରି ମଜବୁତ କରିବା । ଲୋକଙ୍କ ସହିତ ଯୋଡ଼ି ହୋଇ ରହିବା । ଏକାଠି ହୋଇ କାମ କରିବା । ବିଜେପି ସରକାର ଏବେ ଓଡ଼ିଶା ଏବଂ ଓଡ଼ିଶାର ଲୋକଙ୍କ ପାଇଁ ଏକ ବହୁତ ବଡ଼ ବୋଝ ପାଲଟିଗଲାଣି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମକୁ ଲଢ଼ିବାକୁ ପଡିବ । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ପଡିବ । କୃଷକଙ୍କ ହକ ଓ ଅଧିକାର ପାଇଁ ଲଢ଼ିବାକୁ ହେବ । ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ଲଢ଼ିବାକୁ ପଡିବ । ମିଥ୍ୟା ପ୍ରଚାର ବିରୋଧରେ ମଧ୍ୟ ଲଢ଼ିବାକୁ ପଡିବ । ଆସନ୍ତୁ ଆମେ ଓଡ଼ିଶାବାସୀଙ୍କ ବିଶ୍ୱାସ ଏବଂ ଭରସାକୁ ସମ୍ମାନ ଦେଇ ଏହି ଲଢେଇକୁ ଆହୁରି ଜୋରଦାର କରିବା’’।
