କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢି ଦେଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଦୋକାନରୁ ଝାଲମୁଢି ଖାଇଥିବାରୁ ସୋସିଆଲ ମିଡିଆରେ ଯେଉଁ ଲୋକପ୍ରିୟତା ମିଳିଥିଲା, ଆଉ ଏବେ ତାଙ୍କୁ ଏବଂ ପରିବାର ଲୋକଙ୍କୁ ଭୟଭୀତ କରିଛି । ତାଙ୍କୁ ପାକିସ୍ତାନ ଏବଂ ବାଂଲାଦେଶରୁ ବୋମା ଧମକ ମିଳୁଛି ।
ଝାଲମୁଢି ବିକ୍ରେତା ବିକ୍ରମ ସାହୁ କହିଛନ୍ତି ଯେ, ଫୋନ୍ କରୁଥିବା ଲୋକମାନେ ପାକିସ୍ତାନରୁ ଫୋନ୍ କରୁଛନ୍ତି, ତାଙ୍କ ଉପରେ ବୋମା ପକାଇବାକୁ ଧମକ ଦେଉଛନ୍ତି । ମୋତେ ବାଂଲାଦେଶରୁ ଫୋନ୍ ଆସୁଛି, ମୁଁ ବଞ୍ଚିଛି କି ନାହିଁ ପଚାରୁଛନ୍ତି । ସେମାନେ ମୋତେ ବାରମ୍ବାର ହଇରାଣ କରୁଛନ୍ତି । ମୋତେ ଅଜଣା ନମ୍ବରରୁ ଅନେକ କଲ୍ ଆସୁଛି, ଅପମାନଜନକ ଏବଂ ଅସଭ୍ୟ ଭାଷାରେ ଗାଳି ଦେଉଛନ୍ତି ବୋଲି କହିଛନ୍ତି ବିକ୍ରମ ।
ପୋଲିସ ପ୍ରଶାସନକୁ ଏ ବିଷୟରେ ପୂର୍ବରୁ ଅବଗତ କରାଯାଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବିଧାନସଭା ନିର୍ବାଚନ ପୂର୍ବରୁ ୧୯ ଏପ୍ରିଲରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବାକୁ ଝାରଗ୍ରାମରେ ପହଞ୍ଚିଥିଲେ । ରାଲି ସମୟରେ ପ୍ରଧାନମନ୍ତ୍ରୀ ଝାଲମୁଢି ଖାଇଥିଲେ । ଆଉ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲେ ।
