ଭୁବନେଶ୍ୱର: ରାଜ୍ୟରେ ଏବେ ତାତିର ପ୍ରକୋପ ଚରମ ସୀମାରେ। ପ୍ରଚଣ୍ଡ ଖରା ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ। ଦିନର ତାପମାତ୍ରା ସହିତ ରାତିରେ ମଧ୍ୟ ଅଧିକ ଗରମ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଆଜି ସମ୍ବଲପୁର, ବଲାଙ୍ଗିର ଓ ଝାରସୁଗୁଡ଼ା ପରି ଜିଲ୍ଲାଗୁଡ଼ିକ ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହାଛଡ଼ା ରାଜ୍ୟର ଅନ୍ୟ ୨୩ଟି ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ମଧ୍ୟ ସମ୍ବଲପୁର, ବଲାଙ୍ଗିର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଥିବାରୁ ସେଠାରେ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିବ।
ଏଭଳି ସ୍ଥିତିରେ ବୟସ୍କ ବ୍ୟକ୍ତି, ଶିଶୁ ଏବଂ କ୍ରନିକ୍ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ସ୍ୱତନ୍ତ୍ର ଯତ୍ନ ନେବା ଆବଶ୍ୟକ। ଖରା ସମୟରେ ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବା, ପ୍ରଚୁର ପରିମାଣରେ ପାଣି ପିଇବା, ଓଆରଏସ୍ (ORS), ଲେମ୍ବୁ ପାଣି, ତୋରାଣି ଓ ଲସି ଭଳି ପାନୀୟ ଗ୍ରହଣ କରି ଶରୀରକୁ ହାଇଡ୍ରେଟେଡ୍ ରଖିବାକୁ ପରାମର୍ଶ ଦିଆଯାଇଛି।
