ଭୁବନେଶ୍ୱର : ଚାନ୍ଦିପୁରରୁ ଗର୍ଜିଲା ‘ଅଗ୍ନି-୧’ । ଚାନ୍ଦିପୁର ସମନ୍ୱିତ ଟେଷ୍ଟ ରେଂଜରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୧’ ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷଣ ହୋଇଛି। ମିସାଇଲଟି ସମସ୍ତ ବୈଷୟିକ ମାନଦଣ୍ଡକୁ ପୂରଣ କରି ନିଜର ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି ।
ପରୀକ୍ଷଣ ବେଳେ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ୍ ସିଷ୍ଟମ୍ ମାଧ୍ୟମରେ ଏହାର ଗତିପଥ ଉପରେ ନଜର ରଖାଯାଇଥିଲା । ‘ଅଗ୍ନି-୧’ ମିସାଇଲ ୭ଶହରୁ ୧୨ ଶହ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁର ଶିବିରକୁ ଧ୍ୱଂସ କରିପାରିବ । ଏହା ପ୍ରାୟ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାରେ ସକ୍ଷମ । ସିଙ୍ଗଲ୍-ଷ୍ଟେଜ୍ ସଲିଡ ଫୁଏଲ ପରିଚାଳିତ ମିସାଇଲ ଦେଶର ସାମରିକ ଶକ୍ତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି ।
