ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଆଉ ଜଣେ ହତ୍ୟାକାରୀ । ଆଉ ଜଣେ ମୁଖ୍ୟ କାର୍ପଟଦାର ଅଶୋକ ଜେନା ଓରଫ ଗେଡ଼ାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍ । ଭୁବନେଶ୍ବର ପଟିଆସ୍ଥିତ ଏକ ହୋଟେଲରେ ଲୁଚି ରହିଥିବାବେଳେ ତାକୁ ଗିରଫ କରାଯାଇଛି । ସୌମ୍ୟଙ୍କୁ ହତ୍ୟା କରିବା ପାଇଁ ଭିଡ଼ ଭିତରେ ଲୋକଙ୍କୁ ଉସକାଇଥିଲା ଅଭିଯୁକ୍ତ ଜଣକ। ସୌମ୍ୟଙ୍କୁ ମାଡ଼ ମାରିବା ସମୟରେ ତାଗିଦ୍ ସତ୍ତ୍ବେ ଶୁଣିନଥିଲା ଗେଡ଼ା । କାହା କଥାକୁ ଖାତିର ନକରି ଗାଳି ଗୁଲଜ କରିବା ସହ ସୌମ୍ୟଙ୍କୁ ମାଡ଼ ମାରି ଚାଲିଥିଲା । ବର୍ତ୍ତମାନ ସୁଦ୍ଧା ଘଟଣାରେ ୧୭ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଗିରଫ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି ।
ସେପଟେ କ୍ରାଇମବ୍ରାଞ୍ଚ ଟିମ୍ କହିଛି ଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ଖୋଜା ଚାଲିଛି । ଯେଉଁମାନେ ଫେରାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଉଛନ୍ତି, ତାଙ୍କ ବିରୋଧରେ ମଧ୍ୟ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । ଫେରାର ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଗଲା ଭଳି ସୂଚନା ନାହିଁ । ହେଲେ ସେମାନଙ୍କୁ ବହୁତ ଲୋକ ସାହାଯ୍ୟ କରୁଛନ୍ତି । ଭାଇରାଲ ଭିଡିଓରେ ଆମେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛୁ । ଆହୁରି 8ରୁ 10 ଜଣ ଫେରାର ଅଛନ୍ତି । ଯେଉଁମାନେ ସୌମ୍ୟଙ୍କୁ ପିଟାପିଟି କରିଛନ୍ତି, ସେମାନଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ । ତଦନ୍ତ ବେଳେ ସୌମ୍ୟଙ୍କ ସାଙ୍ଗ ଓମଙ୍କ କୌଣସି ସମ୍ପୃକ୍ତି ନାହିଁ । ପୀଡିତାଦ୍ୱୟଙ୍କ ବୟାନ ରେକର୍ଡ ହୋଇଛି ।”
