ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାଫଳ ପ୍ରକାଶ ପାଇ ଯାଇଛି। ଏଥିରେ ୮୬ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି ନୟାଗଡ ଜିଲ୍ଲା ରାଜସୁନାଖଳା ନୃସିଂହପୁର ଶାସନ ସାହିର ମୃତ୍ୟୁଞ୍ଜୟ ଦାଶ। ମୃତ୍ୟୁଞ୍ଜୟ ନିଜର ପ୍ରାଥମିକ ଶିକ୍ଷା ୨ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ , ଭୁବନେଶ୍ୱରରୁ ପ୍ରାପ୍ତ କରିଥିଲାବେଳେ ବିଜେବି କଲେଜରୁ ଅର୍ଥଶାସ୍ତ୍ର ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ପିଲାଟି ଦିନରୁ ଶିକ୍ଷାପ୍ରତି ଆଗ୍ରହ,କଠିନ ପରିଶ୍ରମ ଓ ଏକାଗ୍ରଚିତ୍ତ ସ୍ୱଭାବ ତୁଳସୀ ଦୁଇପତ୍ରରୁ ବାସିବା ଭଳି ତାଙ୍କର ଉଜ୍ଜଳମୟ ଭବିଷ୍ୟତ ସମ୍ବନ୍ଧରେ ସୂଚନା ଦେଉଥିଲା।ପ୍ରଶାସନିକ ସେବା ପରୀକ୍ଷା ପାଇଁ କଠୋର ପରିଶ୍ରମ ସହିତ ବିଶେଷ ଭାବରେ ଆଧୁନିକ ସାଧନ ଉପରେ ଗୁରୁତ୍ୱ ଦେବା ହିଁ ମୋତେ ସଫଳତା ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।
ଏହି ସଫଳତାର ଶ୍ରେୟ ସେ ତାଙ୍କର ମାତା ପିତା, ସାଙ୍ଗ,ସହପାଠୀ ଓ ଶୁଭଚିନ୍ତକ ମାନଙ୍କୁ ଦେବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ନିଜର ଶ୍ରଦ୍ଧା ଅର୍ପଣ କରିଛନ୍ତି। ଭାରତ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇବା ମୋର ଆଗାମୀ ଲକ୍ଷ୍ୟ ବୋଲି ମୃତ୍ୟୁଞ୍ଜୟ କହିବା ସହିତ ସେଥିପାଇଁ ସେ ୧୦ରୁ ୧୨ଘଣ୍ଟା ପରିଶ୍ରମ ଜାରି ରଖିଛନ୍ତି।
