କଟକ : ଓଡ଼ିଶା ସାଇକେଲିଂ ଆସୋସିଏସନ୍ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ବିଶ୍ୱ ସାଇକେଲ ଦିବସ ସଫଳତାର ସହିତ ପାଳନ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦୦ ସାଇକେଲ ଚାଳକ ଉତ୍ସାହଜନକ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା ସାଇକେଲ ଚାଳକ ଥିଲେ। ଏହି କାର୍ଯ୍ୟକ୍ରମ ଏକ ସୁସ୍ଥ, ପରିବେଶ ଅନୁକୂଳ ଏବଂ ସ୍ଥାୟୀ ପରିବହନର ମାଧ୍ୟମ ହେବା ସହିତ ଆଗାମୀ ଦିନରେ ସୁସ୍ଥତାର ବାର୍ତ୍ତାବହ ହେବ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମହିଳା ସାଇକେଲ ଚାଳକମାନେ ବିଭିନ୍ନ ବୟସ ବର୍ଗରେ ଅଂଶଗ୍ରହଣ କରି ଅସାଧାରଣ ପ୍ରତିଭା, ଦୃଢ଼ ନିଷ୍ଠା ଏବଂ ପ୍ରତିଯୋଗିତାମୂଳକ ମନୋଭାବ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଟକ ସାଂସଦ ଭତୃହରି ମହତାବ, ସମ୍ମାନୀତ ଅତିଥି ଭାବେ ଓଡିଶା ଅଲମ୍ପିକ ସଙ୍ଘ ସମ୍ପାଦକ ଅଭିଜିତ ପାଲ, ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳୀ ସୁଜଲ ସିଂଘ, କଟକ ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ ବେହେରା, ଓଡିଶା ସାଇକେଲିଙ୍ଗ ସଙ୍ଘର ସମ୍ପାଦକ ପ୍ରସନ୍ନ କୁମାର ରାଉତ ଯୋଗ ଦେଇଥିଲେ।ସାଇକେଲ ରାଲି ଇଣ୍ଡୋର ଷ୍ଟାଡିଅମରୁ ଆରମ୍ଭ ହୋଇ, ବିଜୁ ପଟନାୟକ ଛକ, ଚଣ୍ଡୀ ଛକ, ସମାଜ ଅଫିସ, ବାରବାଟୀ ଷ୍ଟାଡିଅମ ରୋଡ଼ ବାଟ ଦେଇ ପୁନର୍ବାର ଇଣ୍ଡୋର ଷ୍ଟାଡିୟମ ପାଖରେ ପହଁଚିଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ସାଇକେଲ ଚାଳନା ପ୍ରତି ଲୋକପ୍ରିୟତା ବୃଦ୍ଧି ପାଉଛି।
