ରଣପୁର(ବୃନ୍ଦାବନ ପୁର): ପବିତ୍ର ଶୀତଳଷଷ୍ଠୀ ଅବସରରେ ବୃନ୍ଦାବନ ପୁର ଯାତ୍ରା ପେଣ୍ଡାଲରେ ଗ୍ରାମର ବରିଷ୍ଠ ବ୍ୟକ୍ତିବିଶେଷ ମାନଙ୍କ ଉପସ୍ଥିତିରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଦେବରାଜ ରଥଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାକୁ ପ୍ରସନ୍ନ କୁମାର ରଥ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଗ୍ରାମର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରମେଶଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଲିଖିତ “ଗୋବର୍ଦ୍ଧନେଶ୍ୱର” ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ବୃନ୍ଦାବନ ପୁର ଗ୍ରାମର ଇତିହାସ, ଉତ୍ପତ୍ତି, ଅବସ୍ଥିତି, ଧାର୍ମିକ ପରମ୍ପରା ଓ ସଂସ୍କୃତିକୁ ଉପରେ ଆଧାରିତ ଏହି ପୁସ୍ତକରେ ବିଶେଷ ଭାବରେ ପଦ୍ୟ ଆକାରରେ ଲିପିବଦ୍ଧ ହୋଇଥିବା ବିଷୟ ସବୁକୁ ପରିଚାଳକ ପ୍ରସନ୍ନ କୁମାର ରଥ ପୁସ୍ତକ ସମୀକ୍ଷା କରିବା ଅବସରରେ ପ୍ରକାଶ କରିଥିଲେ।
ସଭାପତି ଦେବରାଜ ରଥ ଙ୍କ ସମେତ ରାମଚନ୍ଦ୍ର ମିଶ୍ର, ବ୍ରଜବନ୍ଧୁ ମିଶ୍ର, କୈଳାସ ଚନ୍ଦ୍ର ମିଶ୍ର, ଉପେନ୍ଦ୍ର ଚନ୍ଦ୍ର ରଥ, ଭଗବାନ ରଥ, ପୁଷ୍ପାଞ୍ଜଳି ମିଶ୍ର ଓ ଜ୍ଞାନ ରଞ୍ଜନ ମିଶ୍ର ଲେଖକଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ତାଙ୍କର ଉତ୍ତରତୋର ଉନ୍ନତି କାମନା କରିଥିଲେ। ଲେଖକ ଶ୍ରୀ ମିଶ୍ର ତାଙ୍କ ଜୀବନର ଅର୍ଦ୍ଧାଧିକ ସମୟ ଗ୍ରାମଠାରୁ ବହୁ ଦୂରରେ ରହି ମଧ୍ୟ ସର୍ବଦା କିପରି ଗାଆଁ ମନସ୍କ ରହୁଥିଲେ ସେ ବିଷୟରେ ନିଜର ଅନୁଭୂତିକୁ ପ୍ରକାଶ କରିଥିଲେ।
ଗାଆଁ ଠାରୁ ସବୁକିଛି ପାଇ ବଡ ହେଲା ପରେ କୌଣସି ନା କୌଣସି ବାଟରେ ଗାଁର ଋଣକୁ ପରିଶୋଧ କରିବା ନିମିତ୍ତ ସମସ୍ତେ ଚେଷ୍ଠା କରିବା ଉଚିତ୍ ବୋଲି ସେ ଉତ୍ତର ପୀଢ଼ି ମାନଙ୍କୁ ଆହ୍ୱାନ ଦେଇଥିଲେ। ଗ୍ରାମ ଉଦ୍ଦେଶ୍ୟରେ ଏହି ପୁସ୍ତକ ତାଙ୍କର ଶେଷ ପୁସ୍ତକ ନୁହେଁ ବରଂ ଗ୍ରାମର ଇତିହାସ ଓ ସମସ୍ତ ପରିବାର ବିଷୟରେ ଏକ ଗବେଷଣାତ୍ମକ ପୁସ୍ତକ ଲେଖିବା ସେ ଆରମ୍ଭ କରିଛନ୍ତି ବୋଲି ନିଜର ଭବିଷ୍ୟତ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ। ସଭା ଶେଷରେ ଜ୍ଞାନ ରଞ୍ଜନ ମିଶ୍ର ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।
