ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସ୍ତେ ଆସ୍ତେ ସକ୍ରିୟ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି, କିନ୍ତୁ ଦକ୍ଷିଣ ଓଡ଼ିଶାରେ ଜୁଲାଇ ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର କେନ୍ଦୁଝର, କୋରାପୁଟ, ଦାରିଙ୍ଗବାଡ଼ି, ରାୟଗଡ଼ା, ଭଦ୍ରକ, ଯାଜପୁର, ବରଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କୋରାପୁଟ ଏବଂ ରାୟଗଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ଗଜପତି ଏବଂ ମାଲକାନଗିରି ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ।
ଅନୁଗୋଳ, ସୁନ୍ଦରଗଡ଼, ଢେଙ୍କାନାଳ, ବୌଦ୍ଧ, ପୁରୀ, ନୟାଗଡ଼, ଖୋରଧା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଏବଂ ବଲାଙ୍ଗିର ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଜୁଲାଇ ୨ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁଲାଇ ପହିଲାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଛି।
