ଭୁବନେଶ୍ୱର : ରାଜ୍ୟରେ ମୌସୁମି ସମସ୍ତ ଜିଲାକୁ ଛୁଇଁଥିଲେ ମଧ୍ୟ ସେଭଳି ବର୍ଷା ଦେଖିବାକୁ ମିଳୁନାହିଁ। ତେବେ ବିଭିନ୍ନ ପାଣିପାଗ ମଡ଼େଲକୁ ଅନୁଧ୍ୟାନ କରିବା ପରେ ଆସନ୍ତା ଜୁଲାଇ ୨ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଏବଂ ଏହାର ପ୍ରଭାବରେ ଜୁନ୍ ୩୦ରୁ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଶରତ ସାହୁ ଏଭଳି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି (ରବିବାର) ରାଜଧାନୀ ସମେତ ବାଲେଶ୍ବର, ବାରିପଦା, ଝାରସୁଗୁଡ଼ା, ଟିଟିଲାଗଡ଼, ଯାଜପୁର, ନବରଙ୍ଗପୁର ଏବଂ ରାଉରକେଲାରେ ବର୍ଷା ହୋଇଛି। କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୪ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ବର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାକୁ ବଜ୍ରପାତ ସହିତ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଏବେ ବି ଦୁର୍ବଳ ଅବସ୍ଥାରେ ରହିଛି। ବିଭିନ୍ନ ପାଣିପାଗ ମଡେଲ୍ଗୁଡିକର ଆକଳନ ଅନୁସାରେ ଜୁଲାଇ ୧ରୁ ୩ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରୁ ଓଡ଼ିଶା ଉପକୂଳ ପର୍ଯ୍ୟନ୍ତ ବଙ୍ଗୋପସାଗର ଉପର ମଧ୍ୟବାୟୁ ମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏକ ଦୁର୍ବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସଙ୍କେତ ମିଳୁଛି। କିନ୍ତୁ ଏହାର ନିଶ୍ଚିତ ସମ୍ଭାବନା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସମୟରେ ଏକ ଶକ୍ତିଶାଳୀ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେବାର ସମ୍ଭାବନା କମ୍। ମୌସୁମି ନିମ୍ନଚାପରେଖା ମଧ୍ୟ ଜୁଲାଇ ପ୍ରଥମ ସପ୍ତାହରେ ଅଧିକ ଶକ୍ତିଶାଳୀ ନହୋଇ ଧୀରେ ଧୀରେ ସକ୍ରିୟ ହେବାର ସମ୍ଭାବନା ରହିଛି। ତେଣୁ ସମଗ୍ର ରାଜ୍ୟରେ ବ୍ୟାପକ ଅଞ୍ଚଳରେ ବର୍ଷା ହେବା ପରିବର୍ତ୍ତେ ସ୍ଥାନେ ସ୍ଥାନେ ବର୍ଷାର ସମ୍ଭାବନା ଅଧିକ ରହିଛି। ବଙ୍ଗୋପସାଗର ଉପରେ କୈନ୍ଦ୍ରିକ ବାୟୁ ଚଳାଚଳ ହୋଇପାରୁନାହିଁ। ମଧ୍ୟବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହୋଇ ସମୁଦ୍ର ପତ୍ତନକୁ ଲମ୍ବି ପାରୁନାହିଁ। ମୌସୁମି ନିମ୍ନଚାପରେଖା ଉତ୍ତର ବଙ୍ଗୋପସାଗରରେ ସ୍ଥିର ରହିପାରୁନି କି ଶକ୍ତିଶାଳୀ ହୋଇପାରୁନାହିଁ। ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସ୍ଥାନେ ସ୍ଥାନେ ହେଉଛି। କିନ୍ତୁ ବିସ୍ତାରିତ ହୋଇପାରୁ ନାହିଁ। ପଶ୍ଚିମ ଭାରତରୁ ଶୁଷ୍କ ଓ ଗରମ ପବନ ପଶ୍ଚିମ ଓଡ଼ିଶାକୁ ପ୍ରବାହିତ ହେଉଛି, ଯାହାକି ବଙ୍ଗୋପସାଗରୀୟ ଆର୍ଦ୍ର ପବନ ପଶ୍ଚିମ ଓଡ଼ିଶାରେ ପହଞ୍ଚି ପାରୁନାହିଁ।
୫୨% ନିଅଣ୍ଟିଆ ବୃଷ୍ଟିପାତ
ସାରା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଛୁଇଁଛି। ମୌସୁମି ସକ୍ରିୟ ନଥିବାରୁ ବର୍ଷା ହେଉନାହିଁ। ଧାନ ବୁଣିବା ପାଇଁ ଚାଷୀ ବର୍ଷାକୁ ଚାହିଁ ବସିଛି। ପଶ୍ଚିମ-ଉତ୍ତର, ଉପକୂଳ-ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇନାହିଁ। ଜୁନ ୧ରୁ ୨୮ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୧୯୨.୩ମି.ମି. ହେବାକୁ ଥିବାବେଳେ ମାତ୍ର ୯୧.୪ମି.ମି. ବର୍ଷା ହୋଇଛି, ଯାହାକି ୫୨% ନିଅଣ୍ଟିଆ ବର୍ଷା ହେଲାଣି। ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାମ ଆଗେଇ ପାରୁନାହିଁ।
ମୌସୁମିର ଅନିଶ୍ଚିତତା ବର୍ଷା ଚାଷୀଙ୍କ ମୁଣ୍ଡରେ ଚିନ୍ତା ପକାଇ ଦେଇଛି। ବର୍ଷା ଅଭାବରୁ ଏଯାବତ ଜମିରେ ଚାଷ ହୋଇନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଯାଜପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, ପୁରୀ ଜିଲାରେ ସବୁଠୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ୬୦%ଊର୍ଦ୍ଧ୍ବ ନିଅଣ୍ଟିଆ ବର୍ଷା ହେଲାଣି। ସେହିପରି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ଖୋରଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ୩୦ରୁ ୬୦% ମଧ୍ୟରେ ଅଭାବୀ ବର୍ଷା ହେଲାଣି। କେବଳ ଢେଙ୍କାନାଳ ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ମାଟି ଫାଟି ଆଁ କରିଛି ଏବଂ ଧାନ ବୁଣିବା ପାଇଁ ପାଗ ଅନୁକୂଳ ହେଉନାହିଁ।
ଏନେଇ ଚାଷୀ ସମର ସିଂହ କହିଛନ୍ତି, ଅକ୍ଷୟ ତୃତୀୟା ପରେ ଯେଉଁ ଚାଷୀ ଧାନ ବୁଣିଥିଲେ, ବର୍ଷା ଅଭାବରୁ ଗଛ ଉଠିଲା ନାହିଁ। ଜୁନ୍ ଦ୍ବିତୀୟ ସପ୍ତାହରୁ ଯେଉଁ ଚାଷୀ ଢିପ ଜମିରେ ଧାନ ବୁଣିଥିଲେ ପାଣି ନପାଇବାରୁ ଗଛ ଉଠିଲା ନାହିଁ। ଆଉ ଦୁଇଦିନ ଗଲେ ଜୁନ ସରିଯିବ। ୧୨୦ଦିନ ଅବଧି ଧାନ ପାଇଁ ଆଉ ସମୟ ନାହିଁ। କେବଳ ତଳି ପକାଇ ଚାଷ କରାଯାଇ ପାରିବ। ଉପକୂଳବର୍ତ୍ତୀ ଜିଲାଗୁଡିକରେ ଜୁନ ୨୦ରୁ ଜୁଲାଇ ୧୦ ମଧ୍ୟରେ ଚାଷୀ ତଳି ବୁଣାବୁଣି କରିଥାନ୍ତି ଚାଷୀ। ତଳି ବୁଣିବା ପାଇଁ ଚାଷୀଙ୍କ ହାତରେ ସମୟ ରହିଛି, ଯଦି ଆଗକୁ ଭଲ ବର୍ଷା ହୁଏ ତେବେ ଚାଷୀ ତଳି ପକାଇ କାମ ଆଗକୁ ନେଇପାରିବେ। ଚାଷୀଙ୍କ ପାଇଁ ସମୟୋପଯୋଗୀ ବିହନ ଯୋଗାଣ ଏବଂ ଜଳସେଚନ ବ୍ୟବସ୍ଥା ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ଯଦି ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଚଳିତ ବର୍ଷ ଖରିଫ ଧାନ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି।
