ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ରାଧାମୋହନପୁର ସାହିରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଧାମୋହନପୁର ସାହିର ପଙ୍କଜ ନାୟକ (୬୦), ପିତା ସତ୍ୟବାଦୀ ନାୟକଙ୍କ ଘରେ ବୁଧବାର ରାତି ପ୍ରାୟ ୧୨ଟା ସମୟରେ ହଠାତ୍ ନିଆଁ ଲାଗିଥିଲା। ନିଆଁ ଅଳ୍ପ ସମୟ ମଧ୍ୟରେ ସମଗ୍ର ଘରକୁ ବ୍ୟାପିଯାଇଥିଲା। ଫଳରେ ଘରେ ଥିବା ଆସବାବପତ୍ର, ଘରୋଇ ସାମଗ୍ରୀ, ବସ୍ତ୍ର, ଆବଶ୍ୟକୀୟ କାଗଜପତ୍ର ଏବଂ ବିଭିନ୍ନ ବୈଦ୍ୟୁତିକ ଉପକରଣ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା।
ପୀଡ଼ିତ ପଙ୍କଜ ନାୟକଙ୍କ କହିବାନୁସାରେ, ଏହି ଅଗ୍ନିକାଣ୍ଡରେ ପ୍ରାୟ ୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ କ୍ଷତିର ପରିମାଣ ବହୁତ ଅଧିକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଖବର ପାଇ ରଣପୁର ରାଜସ୍ୱ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଥିଲେ। ପ୍ରାଥମିକ ସହାୟତା ଭାବେ ପୀଡ଼ିତ ପରିବାରକୁ ଜରିପାଲ ପ୍ରଦାନ କରାଯାଇଛି। ସରକାରୀ ନିୟମ ଅନୁଯାୟୀ ପରବର୍ତ୍ତୀ ସମୟରେ ଯାହା ସହାୟତା ମିଳିବାର ବ୍ୟବସ୍ଥା ରହିଛି, ତାହା ପ୍ରଦାନ କରାଯିବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୀଡ଼ିତ ପରିବାରକୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
